ଯୁଦ୍ଧରେ ଅମାନତ ପରାଜୟ ଭୋଗିବ ରୁଷିଆ: ଜେଲେନସ୍କି

ଲଣ୍ଡନ,୮।୨: ରୁଷିଆ ସହ ଯୁଦ୍ଧ ମଧ୍ୟରେ ବ୍ରିଟେନ ଗସ୍ତରେ ଯାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ଜେଲେନସ୍କି ବୁଧବାର ୧୦ ଡାଉନିଙ୍ଗ ଷ୍ଟ୍ରିଟରେ ପହଞ୍ଚି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ସାକ୍ଷାତ କରିବା ସହ ସମସ୍ତ ସାଂସଦଙ୍କୁ ସମ୍ବୋଧିତ କରିଥିଲେ। ଜେଲେନସ୍କି ତାଙ୍କ ଭାଷଣରେ ବେଶ୍‌ ଦୃଢ ଥିବା ଜଣାପଡୁଥିଲେ। ସାଂସଦମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଖୁବ୍‌ଶୀଘ୍ର ରୁଷିଆ ଯୁଦ୍ଧରେ ଅମାନତ ଭାବେ ପରାଜୟ ଭୋଗିବାକୁ ଯାଉଛି। କାରଣ ଆମେ ଅନେକ ଦେଶର ସମର୍ଥନ ପାଇଛୁ। ବିଶେଷ ଭାବରେ ବ୍ରିଟେନ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମକୁ ଅର୍ଥନୈତିକ ଏବଂ ସାମରିକ କ୍ଷେତ୍ରରେ ସମର୍ଥନ କରିଆସୁଛି। ଏଥିପାଇଁ ମୁଁ ବ୍ରିଟିଶ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ଆମର ସାହସୀ ସୈନିକମାନଙ୍କ ପାଇଁ ମୁଁ ଆପଣଙ୍କ ସମ୍ମୁଖରେ ଛିଡା ହୋଇଛି, ଯେଉଁମାନେ ରୁଷିଆର ଆକ୍ରମଣକୁ ମୁହଁତୋଡ ଜବାବ ଦେଉଛନ୍ତି।
ନିକଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନକୁ ସାମରିକ ସହାୟତା ଘୋଷଣା କରିଥିଲେ। ଏହାପରେ ଜେଲେନସ୍କି ବ୍ରିଟେନ ଗସ୍ତ କରିଛନ୍ତି। ଜେଲେନସ୍କିଙ୍କ ଗସ୍ତ ପୂର୍ବରୁ ସୁନକ କହିଥିଲେ, ରାଷ୍ଟ୍ରପତି ଜେଲେନସ୍କିଙ୍କ ବ୍ରିଟେନ ଗସ୍ତ ତାଙ୍କ ଦେଶର ସାହସ, ନିଷ୍ଠା ଏବଂ ସଂଗ୍ରାମର ପ୍ରମାଣ ଏବଂ ଆମର ଦୁଇ ଦେଶ ମଧ୍ୟରେ ଅବିସ୍ମରଣୀୟ ବନ୍ଧୁତା।

Share