ୟୁକ୍ରେନର ଦ୍ୱିତୀୟ ବୃହତ୍ତ ପାୱାର ପ୍ଲାଣ୍ଟ ଉପରେ ରୁଷିଆର କବଜା

କ୍ୱିଭ,୨୯ ।୭: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରତିଦିନ ଧ୍ୱଂସର ଚିତ୍ର ଦେଖିବାକୁ ମିଳୁଛି । ଗୁରୁବାର ରୁଷିଆ ସେନା ପୂର୍ବ ଦୋନେସ୍କ ଅଞ୍ଚଳରେ ଥିବା ୟୁକ୍ରେନର ଦ୍ୱିତୀୟ ବୃହତ୍ତ ପାୱାର ପ୍ଲାଣ୍ଟ ଉପରେ କବଜା କରିନେଇଥିବା ଦାବି କରାଯାଇଛି । ଏପଟେ ଦକ୍ଷିଣ ଭାଗରେ ସେନା ଛାଉଣିକୁ ବଢାଇ ଦିଆଯାଇଛି । ବେଶ କିଛି ଦିନର ବ୍ୟବଧାନ ପରେ ପୁଣି ରୁଷିଆ ସେନା କ୍ୱିଭ ଉପରେ ମିଶାଇଲ ମାଡ କରିଛନ୍ତି । ଏପଟେ ଖେରସନ ସହରରେ ରୁଷିଆ ସେନା କବଜା କରିଥିବା ଅଞ୍ଚଳରେ ଆକ୍ରମଣକୁ ଜୋରଦାର କରାଯାଇଛି ।
ରୁଷିଆ ସେନା ସୋଭିଏତ ଏରାର କୋଇଲାରେ ଚାଲୁଥିବା ବୃହଲେହେରସ୍କ ପାୱାର ପ୍ଲାଣ୍ଟକୁ ନିଜ କବଜାକୁ ନେଇ ଯାଇଛି । ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ରୁଷିଆ ଦକ୍ଷିଣ ୟୁକ୍ରେନର ମୋଲିତୋପୋଲ, ଜପୋରିଜ୍ଜିୟା ଓ ଖେରସନ ଅଞ୍ଚଳରେ ବହୁ ସଂଖ୍ୟାରେ ସେନା ପୁନଃ ମୁତୟନ କରିଛି । ରୁଷିଆ ମିଶାଇଲ କଥିତ ଭାବେ କ୍ୱିଭରେ ବି ପୂର୍ବପରି ଆକ୍ରମଣ କରିଛି । ଏଠାରେ ପ୍ରାୟ ୧ ସପ୍ତାହ ହେବ କୌଣସି ଆକ୍ରମଣ ହୋଇ ନ ଥିଲା ।

Share