Categories: ଜାତୀୟ

ଖୁବ୍‌ ଶୀଘ୍ର ଅଣାଯିବ ଛାତ୍ରଙ୍କ ମୃତଦେହ: କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ସାଧାରଣ ଲୋକ ବହୁ ପ୍ରଭାବିତ ହେଉଛନ୍ତି। ଯୁଦ୍ଧ ଯୋଗୁ ୨ଦେଶର ସୈନ୍ୟମାନେ ନିହତ ହୋଇଥିବା ବେଳେ ୟୁକ୍ରେନରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଇତିମଧ୍ୟରେ ଖାର୍କ୍ୱିଭରେ ମଙ୍ଗଳବାର ସକାଳେ ଜଣେ ୨୧ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ କର୍ନାଟକ ଚଲାଗେରୀର ନବୀନ ବୋଲି ଜଣାପଡ଼ିଛି। ନବୀନଙ୍କ ମୃତ୍ୟୁକୁ ନେଇ ଭାରତୀୟ ବର୍ହିବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଅନ୍ୟପଟେ ନବୀନ କର୍ନାଟକର ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇଙ୍କ ଘର ଜିଲା ହାଭେରୀର ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବସଭରାଜ ଶୋକ ପ୍ରକାଶ କରିଛନ୍ତି। ଏଥିସହ ନବୀନଙ୍କ ପରିବାର ଲୋକଙ୍କ ସହିତ ଫୋନରେ କଥା ହୋଇ ସେ ସମବେଦନା ଜଣାଇଛନ୍ତି। ତେବେ ଖୁବ୍‌ଶୀଘ୍ର ନବୀନଙ୍କ ମୃତଦେହ ଭାରତ ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି ବୋଲି ବସଭରାଜ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି।

Share