ମସ୍କୋ,୬।୭: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ପରେ ଉପସାଗରୀୟ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାରି ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି। ରୁଷିଆ ୟୁକ୍ରେନ ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛି । ନାଟୋ ସମ୍ମିଳନୀର ମାତ୍ର ଗୋଟିଏ ଦିନ ପୂର୍ବରୁ, ରୁଷିଆର ରାଜଧାନୀ କିଭ ଉପରେ ରାତାରାତି କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଥିଲା । ରିପୋର୍ଟ ଅନୁଯାୟୀ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ବହୁ ସଂଖ୍ୟକ ଆହତ ହୋଇଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ ସୋମବାର ରାତିରେ ରୁଷିଆ କିଭକୁ ଟାର୍ଗେଟ କରି ଏକାଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ନିକ୍ଷେପ କରିଥିଲା । ଯାହା ଫଳରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା। ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି ଏକ ବଡ଼ ଧରଣର ଆକ୍ରମଣ ବିଷୟରେ ଚେତାବନୀ ଦେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା ।
ଆକ୍ରମଣ ପରେ, କିଭ୍ ମେୟର ଭିଟାଲି କ୍ଲିଟ୍ସକୋ କହିଛନ୍ତି ଯେ ରାତାରାତି ବୋମା ମାଡ଼ରେ କ୍ଷତିଗ୍ରସ୍ତ କୋଠାଗୁଡ଼ିକରୁ ଉଦ୍ଧାରକାରୀ ଦଳ ବାସିନ୍ଦାଙ୍କୁ ସ୍ଥାନାନ୍ତର କରୁଛନ୍ତି । ଅଧିକାରୀମାନେ ରିପୋର୍ଟ କରିଛନ୍ତି ଯେ କିଭ୍ରେ ସାତ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ରାଜଧାନୀର ଉତ୍ତର-ପଶ୍ଚିମରେ ଥିବା ବୁଚା ଜିଲାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସେହିପରି କିଭ୍ ଏବଂ ଆଖପାଖ ଅଞ୍ଚଳରେ ଅତି କମରେ ୩୪ ଜଣ ଆହତ ହୋଇଛନ୍ତି।
କିଭ୍ ଅଞ୍ଚଳର ସାମରିକ ପ୍ରଶାସନର ମୁଖ୍ୟ ତୈମୁର ତକାଚେଙ୍କୋ କହିଛନ୍ତି ଯେ ସୋମବାର ଦିନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆପାର୍ଟମେଣ୍ଟ୍ ବ୍ଲକ ଏବଂ ଅନ୍ୟାନ୍ୟ ଆବାସିକ କୋଠାଗୁଡ଼ିକୁ ଟାର୍ଗେଟ କରିଥିଲା। କିଭ୍ ସହର ସାମରିକ ପ୍ରଶାସନର ମୁଖ୍ୟ ତୈମୁର ତକାଚେଙ୍କୋ ଏକ ଟେଲିଗ୍ରାମ ପୋଷ୍ଟରେ କହିଛନ୍ତି: “ଶତ୍ରୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ଆକ୍ରମଣ କରୁଛନ୍ତି। ଏହି ଆକ୍ରମଣ ଯୋଗୁଁ ପୋଡିଲସ୍କି ଜିଲାରେ ଏକ ଆବାସିକ କୋଠା ଆଂଶିକ ଭାବରେ ଭୁଶୁଡ଼ି ପଡ଼ିଛି। ଡାର୍ନିଟସ୍କି ଜିଲାରେ ଅନେକ ବହୁମହଲା କୋଠା କ୍ଷତିଗ୍ରସ୍ତ ହୋଇଛି ଏବଂ ଭୟ କରାଯାଉଛି ଯେ ବହୁ ସଂଖ୍ୟକ ଲୋକ ଧ୍ୱଂସାବଶେଷ ତଳେ ଫସି ରହିପାରନ୍ତି।”
ମେୟର କ୍ଲିଟସ୍କୋ କହିଛନ୍ତି ଯେ, ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିବା ଏହି ଆକ୍ରମଣରେ ବାଲିଷ୍ଟିକ୍ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ସହିତ ଡ୍ରୋନ୍ ବ୍ୟବହାର କରାଯାଇଥିଲା। ସାରା ସହରରେ ବିସ୍ଫୋରଣ ପ୍ରତିଧ୍ୱନିତ ହୋଇଥିଲା ଏବଂ ସାଧାରଣ ନାଗରିକମାନେ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ।