Categories: ଜାତୀୟ

ରୁଷିଆ-ୟୁକ୍ରେନ ସମ୍ଭାବ୍ୟ ଯୁଦ୍ଧ ପଛର କାରଣ କହିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୩।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘନେଇବାରେ ଲାଗିଛି। ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତା ବଢିବାରେ ଲାଗିଛି। ତେବେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଭାରତ ନିରପେକ୍ଷ ରହିବା ସହ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବା ସପକ୍ଷରେ ମତ ରଖିଥିଲା। ଏବେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରୁଷିଆ ଓ ୟୁକ୍ରେନ ମଧ୍ୟରେ ବିବାଦ ସୃଷ୍ଟି ହେବାର କାରଣ ସମ୍ପର୍କରେ ନିଜର ମତ ରଖିଛନ୍ତି।
ଫ୍ରାନ୍ସର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ବିବାଦ ସୋଭିଏତ ସଂଘ ଭାଙ୍ଗିବା ପରେ ଆରମ୍ଭ ହୋଇଥିଲା। ନାଟୋର ସଂପ୍ରସାରଣ ଆଭିମୁଖ୍ୟ ଓ ୟୁରୋପୀୟ ଦେଶ ସହ ରୁଷିଆର ପରିବର୍ତ୍ତିତ ସମ୍ପର୍କ ଯୁଦ୍ଧ ପରିସ୍ଥିତିର ଆଉ ଏକ କାରଣ। ନାଟୋରେ ୟୁକ୍ରେନକୁ ସାମିଲ କରିବା ପାଇଁ ଯୋଜନା ଚାଲିଛି। ଏହାଦ୍ୱାରା ରୁଷିଆର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ ବୋଲି ମସ୍କୋ ଆଶଙ୍କା କରିଛି। ବର୍ତ୍ତମାନ ବିଶ୍ୱ ଅନେକ ପ୍ରକାରର ସଙ୍କଟ ଦେଇ ଗତି କରୁଛି। ଏପରି ଏକ ସ୍ଥିତିରେ ରୁଷ ଓ ୟୁକ୍ରେନ ବିବାଦ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜକୁ ଆହୁରି ବଢାଇ ଦେଇଛି। ଆଲୋଚନା ମାଧ୍ୟମରେ ପରିସ୍ଥିତିର ସମାଧାନ କରାଯାଇ ପାରିବ ବୋଲି ଜୟଶଙ୍କର କହିଛନ୍ତି।

Share