ଫସିଗଲା ରୁଷିଆ, କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଅନେକ ଦେଶ

ନ୍ୟୁୟର୍କ,୨୨।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ସୀମାରେ ବିପୁଳ ସଂଖ୍ୟାରେ ଯୁଦ୍ଧାସ୍ତ୍ର ଖଞ୍ଜି ୟୁକ୍ରେନକୁ ଭୟଭୀତ କରୁଥିବା ରୁଷିଆ ଏବେ ଆଉ ଏକ ବଡ ପଦକ୍ଷେପ ନେଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶକୁ ସମ୍ବୋଧନ କରି ୟୁକ୍ରେନର ପୂର୍ବ ଭାଗରେ ଥିବା ଦୁଇଟି ଅଞ୍ଚଳକୁ ସ୍ବାଧୀନତା ପ୍ରଦାନ କରିଛନ୍ତି। ପୁଟିନ କହିଛନ୍ତି, ମୋର ବିଶ୍ୱାସ ଯେ ଡୋନେଟସ୍କ ପିପୁଲ୍ସ ରିପବ୍ଲିକ ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକକୁ ସ୍ବାଧୀନତା ଓ ସାର୍ବଭୌମତ୍ୱ ସ୍ବୀକୃତି ଦେବା ପାଇଁ ଦୀର୍ଘ ଦିନ ହେଲା ବିଚାର ଚାଲିଥିଲା। ଏବେ ଏହି ଦୁଇ କ୍ଷେତ୍ରକୁ ସ୍ବତନ୍ତ୍ର ସ୍ଥାନର ମାନ୍ୟତା ଦେବାର ଆବଶ୍ୟକ ରହିଛି।
ୟୁକ୍ରେନ ଅଧୀନରେ ଥିବା ଅଞ୍ଚଳକୁ ରୁଷ ଏପରି ମାନ୍ୟତା ପ୍ରଦାନ କରିବା ନୂଆ ବିବାଦ ସୃଷ୍ଟି କରିଛି। ଖାଲି ସେତିକି ନୁହେଁ, ମାନ୍ୟତା ପ୍ରଦାନ କରିବା ପରେ ୟୁକ୍ରେନର ଏହି ଦୁଇ ଅଞ୍ଚଳକୁ ରୁଷିଆ ସରକାର ଯୁଦ୍ଧ ତୋପ ଓ ଯବାନ ମଧ୍ୟ ପହଞ୍ଚାଇଛନ୍ତି। ଏହାକୁ ନେଇ ୟୁକ୍ରେନ ଓ ଏହାକୁ ସମର୍ଥନ କରୁଥିବା ଦେଶଗୁଡିକ ଭିତରେ ଯୁଦ୍ଧ ଆଶଙ୍କା ଆହୁରି ଘନୀଭୂତ ହୋଇଛି।
ରୁଷିଆର ଏଭଳି ପଦକ୍ଷେପକୁ ୟୁରୋପୀୟ ସଂଘ, ନାଟୋ ସହ ଆମେରିକା ମଧ୍ୟ କଡ଼ା ନିନ୍ଦା କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମ୍ୟାକ୍ରୋନ, ଜର୍ମାନୀ ଚାନ୍ସଲେର୍‌ଙ୍କ ସହ ଫୋନରେ କଥା ହୋଇଛି। ଏହି ୩ ନେତା ରୁଷିଆକୁ କଡ଼ା ଜବାବ ଦେବା ଉପରେ ସହମତ ହୋଇଛନ୍ତି।
ଏହାପୂର୍ବରୁ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ସ୍ବାଧୀନତାର ମାନ୍ୟତା ଦେବା ପରେ ଆମେରିକା ପକ୍ଷରୁ ବ୍ୟବସାୟୀ କଟକଣା ଲଗାଯାଇଛି। ରୁଷିଆ ଦ୍ୱାରା ତଥାକଥିତ ସ୍ବାଧୀନ ପାଇଥିବା ପୂର୍ବ ୟୁକ୍ରେନର ଡୋନେଟସ୍କ ପିପୁଲ୍ସ ରିପବ୍ଲିକ ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକରେ କୌଣସି ପ୍ରକାରର ପୁଞ୍ଜି ନିବେଶ କିମ୍ବା ବ୍ୟବସାୟ କେହି କରିପାରିବେ ନାହିଁ ବୋଲି ଆମେରିକା କହିଛି। ଏ ସଂକ୍ରାନ୍ତ ଦସ୍ତାବିଜ ଉପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦସ୍ତଖତ ମଧ୍ୟ କରିଛନ୍ତି।

Share