ରୁଷିଆ କିଞ୍ଜଲ କ୍ଷେପଣାସ୍ତ୍ର ବ୍ୟବହାର କରିଥିବା କହିଲା…

କ୍ୱିଭ୍‌, ୧୯।୩ : ଆଗକୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଅଧିକ ଭୟଙ୍କର ହେବାର ଆଶଙ୍କା ଦେଖାଦେଇଛି। ରୁଷିଆ ୟୁକ୍ରେନ ଉପରେ କିଞ୍ଜଲ କ୍ଷେପଣାସ୍ତ୍ର ପକାଇ ଥିବାର ସୂଚନା ପ୍ରଦାନ କରିଛି। ପଶ୍ଚିମ ୟୁକ୍ରେନରେ ଥିବା ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବା ପାଇଁ ଏହା ହୋଇଛି ବୋଲି ପ୍ରକାଶିତ ରୁଷିଆ ରିପୋର୍ଟରେ କୁହାଯାଇଛି। ହିରୋସିମା ଉପରେ ପଡିଥିବା ଫ୍ୟାଟ ମ୍ୟାନ ବୋମା ଅପେକ୍ଷା କିଞ୍ଜଲ କ୍ଷେପଣାସ୍ତ୍ର ୩୩ ଗୁଣ ଅଧିକ ଆଣବିକ ଭାର ଧାରଣ କରିପାରିଥାଏ।

ରୁଷିଆ କିଞ୍ଜଲ କ୍ଷେପଣାସ୍ତ୍ର ପରୀକ୍ଷା କରୁଥିବାବେଳେ ଏହାକୁ ଗେମ୍‌ ଚେଞ୍ଜର ବୋଲି କୁହାଯାଉଥିଲା । ବର୍ତ୍ତମାନ ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧରେ ରୁଷିଆ ଏହାକୁ ବ୍ୟବହାର କରିଥିବା ସ୍ବୀକାର କରିଛି। କିଞ୍ଜଲ ହେଉଛି ଏକ ବାୟୁ ଉତକ୍ଷେପଣ ହାଇପରସୋନିକ କ୍ଷେପଣାସ୍ତ୍ର । ଏହାର ଲକ୍ଷ୍ୟଭେଦ କ୍ଷମତା ୧୫୦୦ରୁ ୨୦୦୦ କିଲୋମିଟର। ଏହା ୪୮୦ କିଲୋଗ୍ରାମ ପରମାଣୁ ଭାର ଧାରଣ କରିପାରିବ। ହିରୋସିମା ଉପରେ ପଡିଥିବା ଫ୍ୟାଟ ମ୍ୟାନ ବୋମା ଠାରୁ ଏହି ପରିମାଣ ୩୩ ଗୁଣା ଅଧିକ।

ମାର୍ଚ୍ଚ ୨୦୧୮ ରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିଞ୍ଜଲ କ୍ଷେପଣାସ୍ତ୍ରକୁ ସୈନ୍ୟବାହିନୀରେ ସାମିଲ୍‌ କରିଥିଲେ। କିଞ୍ଜଲ ୪୯୦୦ କିଲୋମିଟର ବେଗରେ ଗତି କରିଥାଏ। ଏହାର ଗତିକୁ ୧୨,୩୫୦ କିଲୋମିଟରକୁ ବୃଦ୍ଧି କରାଯାଇପାରେ। କିଞ୍ଜଲ କ୍ଷେପଣାସ୍ତ୍ରର ଆକ୍ରମଣ କ୍ଷମତା ଅତ୍ୟନ୍ତ ବିପଜ୍ଜନକ। ଏହା ଧ୍ୱଂସ ରହିବାକୁ ସକ୍ଷମ। ଏହା ଧ୍ୱନିଠାରୁ ୧୦ ଗୁଣା ଅଧିକ ଦ୍ରୁତ ଗତିରେ ଉଡିପାରେ ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀରେ ପ୍ରବେଶ କରିବାର ଏହାର କ୍ଷମତା ଅଛି ।

କିଞ୍ଜଲ କାଲିନିଗ୍ରାଡରେ ନିୟୋଜିତ ହୋଇଥିଲା। ଏହା ପୋଲାଣ୍ଡ ଏବଂ ଲିଥୁଆନିଆ ସୀମାବର୍ତ୍ତୀ ବଲ୍‌ଟିକ ସାଗରର ଏକ ଅଞ୍ଚଳ।
ତେବେ ରୁଷିଆ ଏହାର ବ୍ୟବହାର କରିଥିବା ନେଇ ବିଶେଷଜ୍ଞଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି।

Share