ୟୁକ୍ରେନର ୭୦ ସେନା ଶିବିରକୁ ଉଡାଇଲା ରୁଷିଆ

କ୍ୱିଭ,୨୫ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଇତିମଧ୍ୟରେ ରୁଷିଆ ଦାବି କରିଛି କି ସେ ୟୁକ୍ରେନର ୭୦ ସେନା ଶିବିରକୁ ନଷ୍ଟ କରିଛି । ଏଥିରେ ୧୧ ଏୟାର ଫିଲ୍ଡ ସାମିଲ ଅଛି । ରୁଷିଆ ହେନିଚେସ୍କ ଓ ନୋୱା କହୋକ୍ୱା ସହରକୁ କବଜା କରିିବା ଜଣାପଡିଛି । ଇତି ମଧ୍ୟରେ ୟୁକ୍ରେନର ରାଜଧାନୀ କ୍ୱିଭରେ କର୍ଫ୍ୟୁ ଲଗାଇ ଦିଆଯାଇଛି । କ୍ୱିଭର ମେୟର ଏହି ସୂଚନା ଦେଇଛନ୍ତି । ଅନ୍ୟପଟେ ୟୁକ୍ରେନ ବି ରୁଷିଆର କ୍ଷୟକ୍ଷତି କରିଥିବା ଦାବି କରିଛି ।
ସେଣ୍ଟର ଫର ଡିଫେନ୍ସ ସ୍ଟ୍ରେଟଜିଷ୍ଟର ସୂଚନା ଅନୁଯାୟୀ, ୟୁକ୍ରେନ ରୁଷିଆର ୧୦୦ରୁ ଊର୍ଦ୍ଧ୍ୱ ସେନାଙ୍କୁ ନିହତ କରିଛି । ଏହା ବ୍ୟତୀତ ରୁଷିଆର ୭ ବିମାନ, ୪ ହେଲିକପ୍ଟରକୁ ବି ନଷ୍ଟ କରିଛି ୟୁକ୍ରେନ୍ । ଏହାସହ ୟୁକ୍ରେନ୍ ଆହୁରି ମଧ୍ୟ ଦାବି କରିଛି ଯେ ସେ ରୁଷିଆର ୧୫ ଟ୍ୟାଙ୍କକୁ ନଷ୍ଟ କରି ଦେଇଛି । ଇତିମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ରୁଷିଆ ସେନା ଚେର୍ନେବଲର ନ୍ୟୁକ୍ଲିୟ ପ୍ଲାଣ୍ଟକୁ କବଜା କରିବାକୁ ଚାହୁଁଛନ୍ତି । ହେଲେ ଜୀବନକୁ ବାଜି ଲଗାଇ ୟୁକ୍ରେନ ଏହାର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ।
ଯୁଦ୍ଧର ଏହି ବିଭିଷିକା ମଧ୍ୟରେ ୟୁକ୍ରେନରେ ୧୦୦ରୁ ଅଧିକ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି । ଗତ ପ୍ରାୟ ୧୯ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି ।

Share