ୟୁକ୍ରେନରେ ସାଇବର ଆକ୍ରମଣ ବୃଦ୍ଧି କଲା ରୁଷିଆ…

ମସ୍କୋ/କ୍ୱିଭ୍‌,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ରୁଷିଆ ୟୁକ୍ରେନରେ ସାଇବର ଯୁଦ୍ଧ ତୀବ୍ର କରିଛି। ୟୁକ୍ରେନର ବିଭିନ୍ନ ସଂସ୍ଥାର ସିଷ୍ଟମରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସ୍ଥାୟୀଭାବେ ନଷ୍ଟ କରିବା ପାଇଁ ରୁଷିଆ ଏକ ନୂତନ ବିନାଶକାରୀ ମାଲୱେର ବ୍ୟବହାର କରୁଛି। ରୁଷିଆ ସମର୍ଥିତ ହ୍ୟାକରମାନେ ୟୁକ୍ରେନର ସରକାରୀ ୱେବସାଇଟ ଏବଂ ବ୍ୟାଙ୍କ ଉପରେ ଆକ୍ରମଣ କରିସାରିଛନ୍ତି।

ଆଇବିଏମ ସିକ୍ୟୁରିଟି ଏକ୍ସ-ଫୋର୍ସ ଦଳ ଅନୁଯାୟୀ, ସେମାନେ ୟୁକ୍ରେନ ସିଷ୍ଟମରେ ନୂତନ ଏବଂ ବିନାଶକାରୀ ’ହରମେଟିକ ଭିପର୍‌’ ମାଲୱେରର ନମୁନା ପାଇଛନ୍ତି। ଏକ ବିବୃତ୍ତିରେ ଏକ୍ସ-ଫୋର୍ସ କହିଛି ଯେ ଗତ ଦୁଇ ମାସ ମଧ୍ୟରେ ୟୁକ୍ରେନ ଏବଂ ପୂର୍ବ ୟୁରୋପର ଅନ୍ୟ ଦେଶଗୁଡ଼ିକରେ ବିଭିନ୍ନ ସଂଗଠନକୁ ଟାର୍ଗେଟ କରିଥିବା ହର୍ମେଟିକ ଭିପର୍‌ ହେଉଛି ଦ୍ୱିତୀୟ ବିନାଶକାରୀ ମାଲୱେର୍‌ ।

ୟୁକ୍ରେନର କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆରଟି-ୟୁଏ)ଏକ ଫେସବୁକ ପୋଷ୍ଟରେ କହିଛି ଯେ ଏକ ବୃହତ ଫିଶିଂ ଅପରେଶନ କରି ୟୁକ୍ରେନ ସୈନିକଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଟାର୍ଗେଟ କରୁଛି। ଏହି କାର୍ଯ୍ୟକଳାପଗୁଡିକ ପଛରେ ୟୁଏନଓ-୧୧୫୧ ନାମକ ମିନସ୍କରେ କାର୍ଯ୍ୟ କରୁଥିବା ଏକ ଗୋଷ୍ଠୀର ହାତ ରହିଛି। ଏହାର ସଦସ୍ୟମାନେ ବେଲାରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ ଭାବେ କାର୍ଯ୍ୟ କରିଥାନ୍ତି।