ଡୋନ୍‌ବାସ୍‌ ମିଶନରେ ରୁଷିଆ

କିଭ୍‌, ୨୦ା୪: ପୂର୍ବ ୟୁକ୍ରେନ୍‌ ଉପରେ ରୁଷିଆ ଧ୍ୟାନ କେନ୍ଦ୍ରୀଭୂତ କରିଥିବାବେଳେ ମଙ୍ଗଳବାର ‘ବ୍ୟାଟେଲ ଅଫ୍‌ ଡୋନ୍‌ବାସ୍‌’ (ଡୋନ୍‌ବାସ୍‌ ଯୁଦ୍ଧ) ଅଭିଯାନ ଆରମ୍ଭ କରିଛି। ଡୋନ୍‌ବାସ୍‌ ଅଞ୍ଚଳର ଲୁହାନ୍‌ସ୍କ ଓ ଡୋନେସ୍କକୁ ଅକ୍ତିଆର ସହ ଯୁଦ୍ଧକ୍ଷେତ୍ରରେ ବିଜୟ ସୁନିଶ୍ଚିତ କରିବା ପାଇଁ ରୁଷିଆ ସେଠାକୁ ହଜାର ହଜାର ସଂଖ୍ୟାରେ ସୈନ୍ୟ ପଠାଇଛି। ତେବେ ରୁଷିଆ ଆକ୍ରମଣ ନୂଆ ଅଭିଯାନକୁ ସାମ୍‌ନା କରିବାକୁ ୟୁକ୍ରେନ୍‌ ପ୍ରସ୍ତୁତ ବୋଲି କିଭ୍‌ ପକ୍ଷରୁ କୁହାଯାଇଛି। ରାତିସାରା ପୂର୍ବ ୟୁକ୍ରେନ୍‌ର ଏହି ଅଞ୍ଚଳରେ ରୁଷିଆ ଘନଘନ ରକେଟ, ବୋମା, ମିଶାଇଲ ମାଡ଼ କରି ଆଗକୁ ବଢ଼ିବାରେ ଲାଗିଛି। ଡୋନ୍‌ବାସ ରଣନୀତିରେ ରୁଷିଆ ୟୁକ୍ରେନ୍‌ର କ୍ରେମିନ୍ନା (୧୮ ହଜାର ଜନସଂଖ୍ୟା ବିଶିଷ୍ଟ ଲୁହାନ୍‌ସ୍କର ଏକ ସହର)କୁ ମସ୍କୋ କବ୍‌ଜା କରିନେଇଛି।
ଡୋନ୍‌ବାସ୍‌ ଆକ୍ରମଣ ପରେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ କହିଛନ୍ତି, ଅପରେଶନର ଆଉ ଏକ ପର୍ଯ୍ୟାୟରେ ପହଞ୍ଚିଛି। ଡୋନେସ୍କ ଏବଂ ଲୁହାନ୍‌ସ୍କକୁ ସ୍ବାଧୀନ କରିବା ରୁଷିଆର ଲକ୍ଷ୍ୟ ବୋଲି ଏହାର ପ୍ରତିରକ୍ଷା ମନ୍ତ୍ରୀ ସେରେଗି ଶୋଇଗୁ କହିଛନ୍ତି। ଅନ୍ୟପକ୍ଷରେ ବନ୍ଦରସହର ମାରିଉପୋଲକୁ ରୁଷିଆ ସମ୍ପୂର୍ଣ୍ଣ ଧ୍ୱଂସ କରିସାରିଥିବାବେଳେ ୟୁକ୍ରେନ୍‌ ସୈନ୍ୟଙ୍କୁ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିବା ନିମନ୍ତେ ମସ୍କୋ ପୁଣି ସମୟ ଦେଇଛି। ଏଥିସହ ଖର୍କିଭ, ମାଇକୋଲେଭ୍‌, ଜାପୋରିଜଝିଆରେ ମସ୍କୋ ବିସ୍ଫୋରଣ ଘଟାଇ ଚାଲିଛି। ରୁଷିଆ ଯେତେ ଅଭିଯାନ ଆରମ୍ଭ କଲେ ବି ଶେଷ ପର୍ଯ୍ୟନ୍ତ ଲଢ଼ିବୁ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି।

Share