ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଧମକ ଦେଲା ରୁଷିଆ

ମସ୍କୋ,୧୩।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଗତ କିଛି ଦିନ ହେଲା ରୁଷିଆ ଅଧିକ ଆକ୍ରାତ୍ମକ ହୋଇ ଲଗାତର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି ଆକ୍ରମଣ ମଧ୍ୟରେ ୟୁକ୍ରେନ ନାଟୋରେ ସାମିଲ ହେବାକୁ ଚେଷ୍ଟା ଚଳାଇଛି। ଏଭଳି ସ୍ଥିତିରେ ୟୁକ୍ରେନ ନାଟୋରେ ସାମିଲ ହେବାକୁ ନେଇ ରୁଷିଆ କଡ଼ା ପ୍ରତିକ୍ରିୟା ରଖିଛି। ରୁଷିଆ ଏହାକୁ ୟକ୍ରେନର ପ୍ରୋପାଗଣ୍ଡା କହିବା ସହ ଏଭଳି କିଛି ହେଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ ହେବ ବୋଲି ରାଷ୍ଟ୍ରପତି ଭ୍ଲାଦିିମିର ପୁଟିନ ଚେତାଇ ଦେଇଛନ୍ତି। ଏହା ପୂର୍ବରୁ ରୁଷିଆ ଅନେକଥର ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ବୋଲି ଧମକ ଦେଇସାରିଛି। ହେଲେ ପ୍ରଥମ ଥର ରୁଷିଆ ସିଧାସଳଖ ତୃତୀୟ ବିଶ୍ୱଯୁଦ୍ଧ ହେବା ନେଇ ଧମକ ଦେଇଛି। ଅନ୍ୟପଟେ ରୁଷିଆ ସିକ୍ୟୁରିଟି କାଉନସିଲର ଡେପୁଟି ସେକ୍ରେଟାରୀ ଆଲେକଜାଣ୍ଡାର ବେନିଡିକତୋଭ କହିଛନ୍ତି, ୟୁକ୍ରେନ ଭଲ ଭାବେ ଜାଣିଛି ଯେ, ଯଦି ସେ ନାଟୋରେ ସାମିଲ ହୁଏ ତେବେ ଏହି ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧରେ ପରିଣତ ହେବ। ତେବେ ଏଭଳି ପରିଣାମ ପାଇଁ ନିଜେ ନାଟୋ ଓ ସଦସ୍ୟ ଦେଶମାନେ ବୋଲି ପୁଟିନଙ୍କ ନିକଟତମ କୁହାଯାଉଥିବା ଆଲେକଜାଣ୍ଡାର କହିଛନ୍ତି। ରୁଷିଆର ଏଭଳିି ଧମକ ସେହି ସମୟରେ ଆସିଛି ଯେତେବେଳେ ୟୁକ୍ରେନର ଅନେକ ଅଞ୍ଚଳରେ ରୁଷିଆ ବୋମା ବର୍ଷା କରୁଛି। ଅନ୍ୟପଟେ ରୁଷିଆର ତୃତୀୟ ବିଶ୍ୱଯୁଦ୍ଧ ଧମକକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆମେ କେହି ବି ତୃତୀୟ ବିଶ୍ୱଯୁଦ୍ଧ ଚାହୁଁନୁ, କେବଳ ୟୁକ୍ରେନର ସାର୍ବଭୌମତ୍ୱର ସୁରକ୍ଷା ଲାଗି ସହାୟତା କରୁଛୁ। କିନ୍ତୁ କେବେବି ରୁଷିଆ ଉପରେ ସିଧାସଳଖ ଆକ୍ରମଣ କରିବୁନି। ବର୍ତ୍ତମାନ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଯୁଦ୍ଧ ରୋକିଦେବା ଉଚିତ୍‌। ଏଥିସହ ୟୁକ୍ରେନର ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରିବା ଆବଶ୍ୟକ ବୋଲି ମାକ୍ରୋନ କହିଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନାଟୋ ସଦସ୍ୟତା ପ୍ରକ୍ରିୟାକୁ ଶୀଘ୍ର କରିବାକୁ ଆବେଦନ କରିଥିେଲେ।

Share