ଆଫଗାନିସ୍ତାନ ସହିତ ବ୍ୟବସାୟିକ କାରବାର କଲେ ମଧ୍ୟ ତାଲିବାନକୁ ମାନ୍ୟତା ଦେବାକୁ ଅମଙ୍ଗ ରୁଷିଆ…

ଓ୍ବାଶିଂଟନ,୫।୧୧ : ବିଶ୍ୱର ବିକାଶଶୀଳ ଭୌଗୋଳିକ ପରିସ୍ଥିତି ମଧ୍ୟରେ ଆଫଗାନିସ୍ତାନ ପ୍ରତି ରୁଷିଆର ବ୍ୟବସାୟିକ ଆଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପାଶ୍ଚାତ୍ୟ ଦେଶଗୁଡିକ ଏହି ଦୁଇ ଦେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି କାରଣରୁ ଉଭୟ ଦେଶ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ପରସ୍ପରକର ନିକଟତର ହେବାରେ ଲାଗିଛନ୍ତି। ଗତ ସେପ୍ଟେମ୍ବରରେ ରୁଷିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର ହେବାପରେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରଠାରୁ ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ଚୁକ୍ତି। ଏହା ଅନ୍ତର୍ଗତ ଆଫଗାନିସ୍ତାନକୁ ପ୍ରାକୃତିକ ଗ୍ୟାସ, ଅଶୋଧିତ ତୈଳ ଏବଂ ଗହମ ଯୋଗାଇ ଦେବାକୁ ରୁଷିଆ ରାଜି ହୋଇଛି। ବିଶ୍ଳେଷକମାନେ କହିଛନ୍ତି ଯେ ଏହି ଚୁକ୍ତିରେ ଅଧିକ ଅର୍ଥନେତିକ ମହତ୍ତ୍ୱ ନ ଥାଇପାରେ, କିନ୍ତୁ ଏହା ଉଭୟ ରୁଷିଆ ଏବଂ ଆଫଗାନିସ୍ତାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ସଫଳତା।

ସିଙ୍ଗାପୁର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଏସିଆନ ଷ୍ଟଡିଜର ବିଶ୍ଳେଷକ କ୍ଲାଉଡିଆ ଚିଆ ୟି ଏକ ବିଶ୍ଳେଷଣରେ ଲେଖିଛନ୍ତି ତାଲିବାନ ଏହାର ବାଣିଜ୍ୟିକ ସମ୍ପର୍କ ବଢ଼ାଇବାକୁ ଚେଷ୍ଟା କରୁଛି। ଏହା ପଡୋଶୀ ଦେଶମାନଙ୍କ ସହିତ ଏପରି ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି। ଅନ୍ତର୍ଜାତୀୟ ପ୍ରତିବନ୍ଧକ ଏବଂ ଆମେରିକା ଦ୍ୱାରା ଏହାର ସୁନା ଭଣ୍ଡାର ଜବରଦଖଲ ଯୋଗୁଁ ଆଫଗାନିସ୍ତାନର ବ୍ୟବସାୟ ପ୍ରଭାବିତ ହୋଇଛି। ଅଗଷ୍ଟ ୨୦୨୧ ଠାରୁ ଆଫଗାନିସ୍ତାନର ଅର୍ଥନୀତି ୨୦ରୁ ୩୦ପ୍ରତିଶତ ହ୍ରାସ ପାଇଛି।

ୱେବସାଇଟ ଏସିଆ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନ ଗଭୀର ମାନବିକ ସଙ୍କଟରେ ପଡିଛି। ଏହା ବ୍ୟତୀତ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ସେଠାରେ କ୍ରମାଗତ ଭାବରେ ହିଂସା କରୁଛନ୍ତି। ଏହା ଲୋକଙ୍କ ଜୀବନଧାରଣ ମାନ ଉପରେ ମଧ୍ୟ ପ୍ରଭାବ ପକାଇଛି। ଏହି ପରିସ୍ଥିତି ମଧ୍ୟରେ ଆଫଗାନିସ୍ତାନବାସୀଙ୍କ ପାଇଁ ରୁଷିଆ ସହିତ ହୋଇଥିବା ଚୁକ୍ତି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏପରି ବ୍ୟବସାୟିକ ସମ୍ପର୍କ ବଢ଼ାଇବାକୁ ରୁଷିଆ ରାଜି ହୋଇଥିବାବେଳେ ତାଲିବାନ ସରକାରଙ୍କୁ କିନ୍ତୁ ମାନ୍ୟତା ଦେବାକୁ ଅମଙ୍ଗ ହେଉଛି। ଫଳରେ ତାଲିବାନ ସରକାର ମାନ୍ୟତା ପାଇଁ ଚିନ୍ତାରେ ପଡ଼ିଛନ୍ତି।

Share