୧୪୦ ଯୁଦ୍ଧବିମାନ, ୬୦ ଜାହାଜ

ମସ୍କୋ, ୩୧ା୮: ୟୁକ୍ରେନ୍‌ ଉପରେ ଆକ୍ରମଣ ମଧ୍ୟରେ ରୁଷିଆ ସେପ୍ଟେମ୍ବର ୧ରୁ ଭୋଷ୍ଟୋକ-୨୦୨୨ ସମରାଭ୍ୟାସ ଆୟୋଜନ କରିବାକୁ ଯାଉଛି। ପୂର୍ବ ରୁଷିଆ, ଜାପାନ ସାଗର ସମେତ ବିଭିନ୍ନ ସ୍ଥାନରେ ହେବାକୁ ଥିବା ଏହି ମିଲିଟାରୀ ଡ୍ରିଲ୍‌ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୫୦ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟ, ୫ ହଜାର ଯୁଦ୍ଧାସ୍ତ୍ର ୟୁନିଟ୍‌, ୧୪୦ ଯୁଦ୍ଧବିମାନ, ୬୦ ଓ୍ବାର୍‌ଶିପ୍‌ ଆଦି ସାମିଲ ହେବ ବୋଲି ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିରେ ସୋଭିଏଟ୍‌ ସଂଘ ଅମଳର କେତେକ ଦେଶ ସମେତ ଚାଇନା, ଭାରତ, ଲାଓସ୍‌, ମଙ୍ଗୋଲିଆ, ନିକାରାଗୁଆ, ସିରିଆ ମଧ୍ୟ ସାମିଲ ହେବେ।
ସମରାଭ୍ୟାସ ପାଇଁ ଚାଇନା ସୈନ୍ୟ ରୁଷିଆରେ ପହଞ୍ଚିଥିବା ନେଇ ମସ୍କୋ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଡ୍ରିଲ୍‌ରେ ରୁଷୀୟ ବାୟୁସେନା ସୈନ୍ୟ, ଦୀର୍ଘ ଦୂରତାକୁ ଟାର୍ଗେଟ କରିପାରୁଥିବା ବୋମା, ମିଲିଟାରି କାର୍ଗୋ ପ୍ଲେନ୍‌ ସାମିଲ ହେବ। ତେବେ ଏହି ସମରାଭ୍ୟାସ କୌଣସି ଦେଶକୁ କିମ୍ବା ସାମରିକ ମେଣ୍ଟକୁ ଟାର୍ଗେଟ କରିବା ପାଇଁ ନୁହେଁ ବୋଲି ରୁଷିଆ ଉପବହିର୍ବ୍ୟାପାର ମନ୍ତ୍ରୀ ଆଲେକ୍‌ଜାଣ୍ଡର ଫୋମିନ୍‌ କହିଛନ୍ତି। ମସ୍କୋ ଏବଂ ସହଯୋଗୀମାନଙ୍କ ସାମରିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହା ଉଦ୍ଦିଷ୍ଟ। ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆକୁ ନିନ୍ଦା କରିବାରୁ ଚାଇନା ଦୂରେଇ ରହିବା ସହ ନାଟୋ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସମାଲୋଚନା କରି ମସ୍କୋକୁ ସମର୍ଥନ ଦେଇଆସିଛି। ବେଜିଂ ଓ ମସ୍କୋ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧିର ଏହି ସମରାଭ୍ୟାସ ଏକ ପ୍ରତିଫଳନ ବୋଲି ପୂର୍ବରୁ କ୍ରେମ୍‌ଲିନ କହିଛି। ଗତ ୩ରେ ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତକୁ ରୁଷିଆ ନିନ୍ଦା କରି ବଡ଼ଭାଇପଣିଆ ଦେଖାଇଛି।

Share