ଆତଙ୍କବାଦୀଙ୍କ ସହ ହାତ ମିଳାଇଲା ରୁଷିଆ…

ମସ୍କୋ,୧୭।୮: ଆଫଗାନିସ୍ତାନର ଅବସ୍ଥା ବିଗିଡିବା ମଧ୍ୟରେ ରୁଷିଆ ପକ୍ଷରୁ ମତିଭ୍ରମ ଭଳି ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦିଆଯାଇଛି। ରୁଷିଆ କହିଛି ତାଲିବାନ ଶାସନ ଅଧୀନରେ କାବୁଲର ଅବସ୍ଥା ଏବେ ସୁଧୁରିବ। ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ସରକାର ତାଲିବାନର କ୍ଷମତା ଦଖଲକୁ ସମର୍ଥନ କରିଛନ୍ତିି। ରୁଷିଆ ଆତଙ୍କବାଦୀଙ୍କ ସହ ହାତ ମିଳାଇଥିବା ନେଇ ଚର୍ଚ୍ଚା ହେଉଛି। ଆଫଗାନିସ୍ତାନରେ ରୁଷିଆ ରାଷ୍ଟ୍ରଦୂତ ଡିମିଟ୍ରି ଜିରନୋଭ ତାଲିବାନକୁ ପ୍ରଶଂସା କରିଛନ୍ତି। ଆଫଗାନିସ୍ତାନରେ ସମ୍ପ୍ରତି ପରିସ୍ଥିତି ଶାନ୍ତିପୂର୍ଣ୍ଣ ଏବଂ ଭଲ ଥିବା ସେ ସୂଚନା ଦେଇଛନ୍ତି। ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ, ମସ୍କୋରେ ଇକୋ ମସ୍କୋଭି ରେଡିଓ ଷ୍ଟେସନରୁ ଜିରନୋଭ ଏଭଳି ମତ ଦେଇଛନ୍ତି। ଜିରନୋଭ କହିଛନ୍ତି ଯେ ପ୍ରଥମେ ଅସ୍ତ୍ରଶସ୍ତ୍ର ତାଲିବାନ ୟୁନିଟ ରାଜଧାନୀ କାବୁଲରେ ପ୍ରବେଶ କରିଥିଲା। ଏହା ପରେ ସରକାର ଏବଂ ଆମେରିକୀୟ ସୈନ୍ୟମାନଙ୍କୁ ଅସ୍ତ୍ର ସମର୍ପଣ କରିବାକୁ କୁହାଯାଇଥିଲା। ମଙ୍ଗଳବାର  ତାଲିବାନ ସହ ବିସ୍ତୃତ ସୁରକ୍ଷା ଆଲୋଚନା କରିବେ ବୋଲି ଜିରନୋଭ ସୂଚନା ଦେଇଛନ୍ତି।
ରୁଷିଆ ନ୍ୟୁଜ୍‌ ଏଜେନ୍ସି ଆରଆଇଏ ନୋଓ୍ବେସ୍ତି ଅନୁସାରେ, ରାଷ୍ଟ୍ରପତି ଅଶରଫ ଘନି ଚାରିଟି କାର ଏବଂ ହେଲିକପ୍ଟରରେ ନଗଦ ଟଙ୍କା ନେଇ କାବୁଲରୁ ପଳାଇଛନ୍ତି। ଘନି ରାଜକୋଷ ଖାଲି କରିଦେଇଥିବା ନୋଓ୍ବେସ୍ତି କହିଛି।

Share