ପୃଥିବୀ ମାନଚିତ୍ରରୁ ଆମକୁ ପୋଛି ଦେବାକୁ ଚେଷ୍ଟା କରୁଛି ରୁଷିଆ: ଜେଲେନସ୍କି

କିଭ୍‌,୧୦।୧୦: କ୍ରିମିଆରୁ ରୁଷିଆକୁ ସଂଯୋଗ କରୁଥିବା ଏକ ବ୍ରିଜ୍‌କୁ ୟୁକ୍ରେନ୍‌ ସେନା ସୋମବାର ଉଡାଇଦେବା ପରେ ରୁଷିଆ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇପଡିଛି। ରୁଷିଆ ସୋମବାର ୟୁକ୍ରେନର ଅନେକ ଆବାସିକ ଅଞ୍ଚଳରେ ୭୫ଟି କ୍ଷେପଣାସ୍ତ୍ର ମାଡ କରିଛି।
କିଭ୍‌ର ମେୟର ଭିଟାଲୀ କ୍ଲିଚକୋ ଦାବି କରିଛନ୍ତି, ସକାଳ ପ୍ରାୟ ୮ଟାରୁ କିଭ୍‌ରେ ଥିବା ଅଟ୍ଟାଳିକା ଉପରେ କଳା ଧୂଆଁ ଦେଖାଯାଉଛି। ଏକାସାଙ୍ଗରେ ବିସ୍ଫୋରଣର ଶବ୍ଦ ଆସୁଛି। ରୁଷିଆର କ୍ଷେପଣାସ୍ତ୍ର ମାଡ଼ ଉପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି, ୟୁକ୍ରେନ ସହରରେ ହୋଇଥିବା ବିସ୍ଫୋରଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ରୁଷିଆ ଆମକୁ ପୃଥିବୀ ମାନଚିତ୍ରରୁ ପୋଛିଦେବାକୁ ଚେଷ୍ଟା କରୁଛି।
ସୂଚନାଯୋଗ୍ୟ, ଜାପୋରିଜିଆ ସହରରେ ଲୋକମାନେ ଶୋଇଥିବାବେଳେ ରୁଷିଆ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି ଆକ୍ରମଣ ଯୋଗୁ ଅଧିକାଂଶ ସହର ଧ୍ୱଂସସ୍ତୂପରେ ପରିଣତି ହୋଇଛି। ଆକାଶ ମାର୍ଗରୁ ଲଗାତର ବୋମା ବର୍ଷଣ ହେଉଥିବାରୁ ଲୋକମାନଙ୍କୁ ଆଶ୍ରୟସ୍ଥଳରେ ରହିବା ପଇଁ କୁହାଯାଇଛି।

Share