ପୂର୍ବ ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ପ୍ରସ୍ତୁତ ହେଉଛି ରୁଷିଆ…

ମସ୍କୋ/କ୍ୱିଭ୍‌, ୧୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୪୮ ଦିନ ବିିତିଛି। ରୁଷିଆ ସୈନ୍ୟ କ୍ୱିଭ୍‌ ଦଖଲ କରିବା ଯୋଜନା କରୁଥିବା ଚେଚେନ୍ୟା କହିଛି। ସେହିପରି ରୁଷିଆ ପୂର୍ବ ୟୁକ୍ରେନ୍‌ ଦଖଲ କରିବା ଲାଗି ନିଜର ସାମରିକ ଶକ୍ତି ବଢ଼ାଇବା ସହିତ ପ୍ରସ୍ତୁତି ଆରମ୍ଭ କରିଥିବା ସାଟେଲାଇଟ୍‌ ଫଟୋରୁ ଜଣାପଡ଼ିଛି।

ରାଜଧାନୀ କ୍ୱିଭ୍‌ର ଆଖପାଖ ଅଞ୍ଚଳରେ ରୁଷିଆ ସୈନ୍ୟ ନରସଂହାର ଜାରି ରଖିଛନ୍ତି। କ୍ୱିଭ୍‌ର ଓବ୍ଲାଷ୍ଟରେ ନରସଂହାର ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ରୁଷିଆ ସୈନ୍ୟ ଏବେ ବଗ୍ଲୋରୋଡ୍‌ ଉପରେ ନିଜର କବ୍‌ଜା କରିବାକୁ ଯୋଜନା କରୁଛନ୍ତି। ସମ୍ପ୍ରତି ସ୍ଥିତି ଅନୁଧ୍ୟାନ ପାଇଁ ପୋଲାଣ୍ଡ୍‌, ଲିଥୋନିଆ, ଲାଟିଭିଆ ଏବଂ ଇଷ୍ଟୋନିଆର ରାଷ୍ଟ୍ରପତି କ୍ୱିଭ୍‌ ଗସ୍ତରେ ଯାଇଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଳାଡ଼ିମିର ପୁଟିନ୍‌ଙ୍କ ନିକଟତମ କୁହାଯାଉଥିବା ଭିକ୍ଟର ମେଦଓ୍ବେଦଚୁକ୍‌ଙ୍କୁ ୟୁକ୍ରେନ୍‌ ସୈନ୍ୟ ଗିରଫ କରିଛନ୍ତି।

ରାଷ୍ଟ୍ରପତି ଭୋଲଡାମିଅର ଜେଲେନସ୍କି ଭିକ୍ଟରଙ୍କ ବଦଳରେ ଅଟକଥିବା ୟୁକ୍ରେନ୍‌ ନାଗରିକଙ୍କ ମୁକ୍ତି ଦାବି କରିଛନ୍ତି। ରୁଷିଆ ସୈନ୍ୟ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ୟୁକ୍ରେନ ଦାବି କରିଛି। ଏହାକୁ ଡ୍ରୋନ ମାଧ୍ୟମରେ ବ୍ୟବହାର କରାଯାଇଥିବା ୟୁକ୍ରେନ୍‌ ସୈନ୍ୟ ଅଭିଯୋଗ କରିଛନ୍ତି। ରୁଷିଆ ସୈନ୍ୟ ଏବେ ସୁଦ୍ଧା ୧୭୦୦ ୟୁକ୍ରେନ୍‌ ଲୋକଙ୍କ ବନ୍ଧକ ରଖିଥିବା ଅଭିଯୋଗ ମଧ୍ୟ ହୋଇଛି। ସେମାନଙ୍କ ମଧ୍ୟରେ ୫୦୦ରୁ ଅଧିକ ମହିଳା ରହିଥିବା କୁହାଯାଉଛି।

Share