ରୁଷିଆର ଗୁପ୍ତ ମିଶନ ଆରମ୍ଭ

କ୍ୱିଭ୍‌,୧୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୭ଦିନରେ ପହଞ୍ଚିଛି। ଏବେ ବି ଯୁଦ୍ଧ ଜାରି ରହିଥିବା ବେଳେ ରୁଷିଆ ଆକ୍ରମଣ ଯୋଗୁ ୟୁକ୍ରେନରେ ନୀରିହ ନାଗରିକଙ୍କ ମୃତ୍ୟୁ ହେଉଛି। ରୁଷୀୟ ସୈନ୍ୟଙ୍କ ଗୁଳିଗୋଳା ଓ ମିଶାଇଲ ମାଡ଼ରେ ପ୍ରାୟ ୫୪୯ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୯୫୭ଜଣ ଆହତ ହୋଇଛନ୍ତି। ଇତିମଧ୍ୟରେ ରାଜଧାନୀ କ୍ୱିଭ୍‌କୁ କବ୍‌ଜା କରିବା ଲାଗି ରୁଷିଆ ଗୁପ୍ତ ମିଶନ ଆରମ୍ଭ କରିଛି। କ୍ରିମିଆ ରାସ୍ତା ଦେଇ କ୍ୱିଭ୍‌ ଭିତରକୁ ପ୍ରବେଶ କରିବା ଲାଗି ଯୋଜନା ଚଳାଇଛି ରୁଷିଆ। ଅନ୍ୟପଟେ ରୁଷୀୟ ସୈନ୍ୟମାନେ ୟୁକ୍ରେନର ରାଜଧାନୀ କ୍ୱିଭ୍‌କୁ ତିନି ପାର୍ଶ୍ୱରୁ ଘେରି ରହିଛନ୍ତି। ଉତ୍ତରରେ ଇରପିନ, ପଶ୍ଚିମରେ ବୁଚା ଏବଂ ମାରିୟୁପୋଲ ଏବଂ ପୂର୍ବରେ ବ୍ରୋଭାରୀ ଉପରେ ରୁଷିଆ ସୈନ୍ୟ ଲଗାତର ଆକ୍ରମଣ କରୁଛନ୍ତି। ଉତ୍ତରରେ ଥିବା ଇରପିନ ସହରରେ ରୁଷିଆ ଆକ୍ରମଣକୁ ଜୋରଦାର କରିଥିବା ବେଳେ ପୂର୍ବରେ ଥିବା ବ୍ରୋଭାରୀରେ ରୁଷିଆ ଓ ୟୁକ୍ରେନ ସୈନ୍ୟଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି। ବ୍ରୋଭାରୀର ଚାରିଆଡେ ବିନାଶର ଚିତ୍ର ଦେଖିବାକୁ ମିଳିଛି। କେଉଁଠି ରୁଷିଆ ଟ୍ୟାଙ୍କ ଜଳୁଛି ତ ଆଉ କେଉଁଠି ବିଲ୍ଡିଂଗୁଡ଼ିକ ଧ୍ୱଂସ ହୋଇଯାଇଛି। ତେବେ ୟୁକ୍ରେନ ସୈନ୍ୟ ମଧ୍ୟ ଏହାର ଜବାବ ଦେବା ସହ ରୁଷିଆ ସୈନ୍ୟଙ୍କୁ କ୍ୱିଭ୍‌ ଭିତରକୁ ପ୍ରବେଶ କରିବାକୁ ଦେଉନାହାନ୍ତି। କ୍ୱିଭ୍‌ ଅଞ୍ଚଳରେ ରୁଷିଆର ଆକ୍ରମଣକୁ ୟୁକ୍ରେନ ସୈନ୍ୟମାନେ ମୁହଁତୋଡ ଜବାବ ଦେଉଛନ୍ତି। ଏତଦ୍‌ ବ୍ୟତୀତ କ୍ୱିଭ୍‌ ସହରରେ ରୁଷିଆ ସୈନ୍ୟ ନ ପ୍ରବେଶ କରିବା ପାଇଁ ଏକ ଚକ୍ରବ୍ୟୁହ ମଧ୍ୟ ପ୍ରସ୍ତୁତ କରାଯାଇଛି। ଯାହାଫଳରେ ରୁଷିଆ ସୈନ୍ୟ ସେଠାରୁ ଆଉ ବାହାରିପାରିବେ ନାହିଁ। କିନ୍ତୁ ପ୍ରକୃତ କଥା ହେଉଛି, ଯଦି ରୁଷୀୟ ସୈନ୍ୟ କ୍ୱିଭରେ ପ୍ରବେଶ କରିଯାଆନ୍ତି, ତେବେ ରାଜଧାନୀକୁ କବ୍‌ଜାକୁ କରିବାରୁ ରୋକିବା କେବଳ କଷ୍ଟସାଧ୍ୟ ନୁହେଁ ବରଂ ଅସମ୍ଭବ ହେବ ବୋଲି କୁହାଯାଉଛି।

Share