ବିଜୟ ଦିବସ ପରେଡ ଅଭ୍ୟାସରେ ଥର୍ମୋନ୍ୟୁକ୍ଲିୟର ମିଶାଇଲ ପ୍ରଦର୍ଶନ କରି ପଶ୍ଚିମ ଦେଶକୁ ଚେତାବନୀ ଦେଲା ରୁଷିଆ

ମସ୍କୋ,୮ ।୫: ଆଉ ମାତ୍ର ଦିନକ ପରେ ରୁଷିଆ ପାଳନ କରିବାକୁ ଯାଉଛି ତା’ର ବିଜୟ ଦିବସ ବା ଭିକ୍ଟ୍ରି ଡେ’ । ଏଥିପାଇଁ ପ୍ରସ୍ତୁତି ଯୋରସୋରରେ ଚାଲିଛି । ବିଜୟ ଦିବସ ପରେଡ ଅଭ୍ୟାସ ସମୟରେ ରୁଷିଆ ପଶ୍ଚିମ ଦେଶକୁ କଡା ଚେତାବନୀ ଦେଇଥିବା କୁହାଯାଉଛି । ଶନିବାର ରୁଷିଆ ବିଜୟ ଦିବସ ପରେଡ ଅଭ୍ୟାସ ସମୟରେ ବହୁର୍ଚ୍ଚିତ ଥର୍ମୋନ୍ୟୁକ୍ଲିୟର ମିଶାଇଲ ପ୍ରଦର୍ଶନ କରିଛି । ଏହାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପଶ୍ଚିମ ଦେଶକୁ କଡା ଚେତାବନୀ ବୋଲି କୁହାଯାଉଛି । ଗୋଟିଏ ପଟେ ରୁଷିଆରେ ବିଜୟ ଦିବସ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ରୁଷିଆ ୟୁକ୍ରେନ୍ ଉପରେ ଲଗାତାର ଆକ୍ରମଣ କରି ଚାଲିଛି । ବିଶେଷଜ୍ଞମାନେ କହୁଛନ୍ତି ଆରଏସ-୨୪ ମିଶାଇଲ ଏକାସଙ୍ଗେ ୧୦ ଆୟୁଧ ନେଇ ଯିବାକୁ ସକ୍ଷମ ।
୪୯.୬ ଟନ ଓଜନର ଏହି ଅର୍ନ୍ତମହାଦ୍ୱିପିୟ ଆୟୁଧ ୨୪,୫୦୦ କିଲୋମିଟର ପ୍ରତିଘଣ୍ଟା ଗତିରେ ୧୨,୦୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରେ । ସୋମବାର ରୁଷିଆ ପାଳନ କରିବାକୁ ଯାଉଥିବା ବିଜୟ ଦିବସ ପାଇଁ ରୁଷିଆର ଉଭୟ ମହିଳା ଓ ପୁରୁଷ ସେନା ରୁଷିଆ ପତାକା ନେଇ କ୍ରିମଲିନରେ ମାର୍ଚ୍ଚ କରିଥିଲେ ।
ଶନିବାର ହୋଇଥିବା ପରେଡର ପୂର୍ବାଭ୍ୟାସରେ ୧୬ ଚକ ବିଶିଷ୍ଟ ଗାଡି ଉପରେ ବାହାରିଥିବା ଥର୍ମୋନ୍ୟୁକ୍ଲିୟର ମିଶାଇଲର ଲୋକେ ସ୍ୱାଗତ କରିଥିଲେ । ଏହାର କ୍ଷମତାକୁ ଦେଖିଲେ ଏହା ଲଣ୍ଡନ ବା ନ୍ୟୁୟର୍କକୁ ଧ୍ୱଂସ କରିବାର କ୍ଷମତା ରଖିଛି । ଏହାସହ ରୁଷିଆ ୮ଟି ମିଗ-୨୯ ଯୁଦ୍ଧ ବିମାନକୁ ଜେଡ ଆକାରରେ ଉଡାଇବା ଦେଖାଯାଇଛି ।

Share