Categories: ଜାତୀୟ

ଭାରତରେ ରୁଷିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୩୧।୩: ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଲାଭରୋଭ ୨ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ କରି ସୂଚନା ଦେଇଛନ୍ତି। ଆଫଗାନିସ୍ତାନ ମାମଲାକୁ ନେଇ ଚାଇନାରେ ଆୟୋଜିତ ହୋଇଥିବା ବୈଠକରେ ସାମିଲ ହେବା ପରେ ଲାଭରୋଭ ଭାରତରେ ପହଞ୍ଚିଛନ୍ତି। ଶୁକ୍ରବାର ତଥା ଏପ୍ରିଲ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ବୈଦେଶିକ ମନ୍ତ୍ରୀ ଲାଭରୋଭ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ସାକ୍ଷାତକାର ସମୟରେ ୨ଦେଶ ମଧ୍ୟରେ ଥିବା କୁଟନୈତିକ ସମ୍ପର୍କ ଓ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ରୁଷିଆ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମାରିଆ ଜଖରୋବା ସୂଚନା ଦେଇଛନ୍ତି। ତେବେ ଏହି ସମୟରେ ୟୁକ୍ରେନ ମଧ୍ୟ ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ଚର୍ଚ୍ଚା ହେଉଛି। ଲାଭରୋଭ ଭାରତ ସହ ବ୍ୟବସାୟିକ ଓ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବାକୁ ଆସିଛନ୍ତି। କିନ୍ତୁ ଯୁଦ୍ଧ ମଧ୍ୟରେ ତାଙ୍କର ଏହି ଗସ୍ତକୁ ନେଇ ପୂରା ବିଶ୍ୱର ନଜର ଏବେ ନୂଆଦିଲ୍ଲୀ ଉପରେ ରହିଛି। ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ପରେ ଭାରତ ସହ ରୁଷିଆର ଏହା ପ୍ରଥମ ଉଚ୍ଚସ୍ତରୀୟ ବୈଠକ।

Share