ରୁଷିଆ ଭାଙ୍ଗିଛି ୟୁକ୍ରେନ ଡ୍ୟାମ: ଜେଲେନସ୍କି …

କିଭ୍‌,୬।୬ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଛି, କିନ୍ତୁ ଏହାର ଫଳାଫଳ କ’ଣ ହେବ ତାହା ପୂର୍ବାନୁମାନ କରିବା କଷ୍ଟକର। ବର୍ତ୍ତମାନ ୟୁକ୍ରେନ ସରକାର ରୁଷିଆକୁ ଏହାର ବିଶାଳ ଡ୍ୟାମକୁ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି। ୟୁକ୍ରେନ କହିଛି ଏହା ଦ୍ୱାରା ବନ୍ୟା ଜଳ ଯୁଦ୍ଧ ଅଞ୍ଚଳରେ ମାଡ଼ି ଯାଇଛି। ଏହି ଆକ୍ରମଣ ପରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁକ୍ରେନର ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ପରିଷଦର ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନର ଏହି ଡ୍ୟାମ ଏକ ଆଣବିକ କାରଖାନା ନିକଟରେ ଅଛି। ଡ୍ୟାମ ଧ୍ୱଂସ ପାଇଁ ମସ୍କୋ ଏବଂ କିଭ ଉଭୟ ପରସ୍ପରକୁ ଦାୟୀ କରିଛନ୍ତି। ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବା ସୋସିଆଲ ମିଡିଆରେ ଲେଖିଛନ୍ତି ରୁଷିଆ କଖୋଭକ୍ୱା ଡ୍ୟାମକୁ ଧ୍ୱଂସ କରି ହଜାର ହଜାର ସାଧାରଣ ନାଗରିକଙ୍କୁ ବିପଦରେ ପକାଇଛି। ଏହା ଦ୍ୱାରା ୧୦ଟି ଗାଁ ବାସିନ୍ଦାଙ୍କ ଜୀବନ ବିପଦରେ ପଡ଼ିଛି। ସେ କହିଛନ୍ତି ଏହା ଏକ ଜଘନ୍ୟ ଯୁଦ୍ଧ ଅପରାଧ।

ଆସନ୍ତା ପାଞ୍ଚ ଘଣ୍ଟା ମଧ୍ୟରେ ଜଳ ଗୁରୁତର ସ୍ତରରେ ପହଞ୍ଚିପାରେ ବୋଲି ୟୁକ୍ରେନ ଅଧିକାରୀ କହିଛନ୍ତି। ଆଞ୍ଚଳିକ ଗଭର୍ନର ଆଲେକ୍ସଜାଣ୍ଡାର୍‌ ପ୍ରୋକୁଡିନ ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଏକ ଭିଡିଓରେ କହିଛନ୍ତି ପାଞ୍ଚ ଘଣ୍ଟା ମଧ୍ୟରେ ଜଳ ଗୁରୁତର ସ୍ତରରେ ପହଞ୍ଚିବ। ଡନିପ୍ରୋର ପଶ୍ଚିମ ଅଞ୍ଚଳର ଦଶଟି ଗାଁ ଏବଂ ଖର୍ସନ ସହରର କିଛି ଅଂଶରେ ବନ୍ୟା ହେବାର ଆଶଙ୍କା ରହିଛି ଏବଂ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି।

ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରେ ଡ୍ୟାମ ବିସ୍ଫୋରଣ ଏବଂ ଜଳର ଦ୍ରୁତ ଗତିରେ ପ୍ରଭାବିତ ହୋଇଥିବା ଦର୍ଶାଯାଇଛି। କିଛି ଘଣ୍ଟା ମଧ୍ୟରେ ଜଳ ସ୍ତର ଏକ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଏହି ଡ୍ୟାମ ୟୁକ୍ରେନର ନିପ୍ରୋ ନଦୀ ଉପରେ ନିର୍ମିତ। ଏହି ଡ୍ୟାମ କ୍ରିମିୟା ଦ୍ୱୀପପୁଞ୍ଜକୁ ଜଳ ଯୋଗାଇଥାଏ। ଏହାକୁ ୨୦୧୪ ରେ ମସ୍କୋ ଦ୍ୱାରା ଦଖଲ କରାଯାଇଥିଲା। କିନ୍ତୁ ୟୁକ୍ରେନ ସୈନ୍ୟମାନେ ଏହାକୁ ୨୦୨୨ ଶେଷରେରୁଷିଆଠାରୁ ଫେରାଇ ନେଇଥିଲେ।

ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ) କହିଛି ଡ୍ୟାମର ଧ୍ୱଂସ ପରମାଣୁ କାରଖାନା ପାଇଁ କୌଣସି ବିପଦ ସୃଷ୍ଟି କରି ନାହିଁ। ତେବେ ପରିସ୍ଥିତି ଉପରେ ନଜର ରଖାଯାଇଛି।

Share