ଅର୍ଣ୍ଣବ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ରାତିଅଧରେ ସ୍ଥିତି ପରଖିଲେ ଜିଲାପାଳ

ପୁରୁଷୋତ୍ତମପୁର,୨୯।୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ତିନି ଦିନ ଧରି ଲଗାଣ ବର୍ଷା ଓ ପବନରେ ଅସ୍ତବ୍ୟସ୍ତ ହୋଇପଡିଛି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ । ଏପଟେ ଋଷିକୁଲ୍ୟା ନଦୀର ଜଳସ୍ତର ବଢ଼ୁଥିବା ବେଳେ ଅନ୍ଯପଟେ ଘୋଡ଼ାହାଡ଼ ଓ ଡହ ଡ୍ୟାମ୍‌ରୁ ଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯାଇଛି । ଫଳରେ ନଦୀରେ ଜଳପ୍ରବାହ ବଢ଼ିବା ସହ ବନ୍ୟାର ଆଶଙ୍କା ମଧ୍ଯ ବଢିଯାଇଛି । ପରିସ୍ଥିତିକୁ ଗୁରୁତ୍ୱ ଦେଇ ବୁଧବାର ରାତିରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ପୁରୁଷୋତ୍ତମପୁର ଅଞ୍ଚଳର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ତହସିଲ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଜରୁରୀ ବୈଠକ କରିଛନ୍ତି । ନଦୀକୂଳିଆ ଅଞ୍ଚଳରେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ଭାବ୍ୟ ବନ୍ୟାରେ ଯେପରି ଜନଜୀବନ ଓ ସମ୍ପତ୍ତିର କ୍ଷତି ନହୁଏ, ସେଥିପାଇଁ ବିପଦସଂକୁଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଓ ଆବଶ୍ୟକ ଖାଦ୍ୟ ଯୋଗାଇବା ନିମନ୍ତେ ପ୍ରସ୍ତୁତ ରହିବାକୁ କହିଥିଲେ । ଅନ୍ତରିଗାଁ ଠାରୁ ଅଲାଡ଼ିଗାଁ ପର୍ଯ୍ୟନ୍ତ ନଦୀବନ୍ଧ, ବ୍ରିଜ୍ ଓ ହିଡ଼ର ସ୍ଥିତି ଯାଞ୍ଚ କରିବାକୁ ଜଳସେଚନ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ନଦୀର ଜଳସ୍ତର ଓ ବର୍ଷା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି । ବୈଠକରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ପ୍ରୋବେସନରି ଆଇଏଏସ୍ ସାରନ୍ୟା, ଛତ୍ରପୁର ଉପଜିଲାପାଳ ଡ. ଶିବାଶିଷ ବରାଳ, ତହସିଲଦାର ବିନୋଦ କୁମାର ବେହେରା, ବିଡିଓ ଦେବାଶିଷ ସାମଲ, ଏନଏସି ନିର୍ବାହୀଅଧିକାରୀ ଅଜିତକୁମାର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ ଓ ଦେବାଶିଷ ମହାପାତ୍ର, ଜଳସେଚନ ବିଭାଗୀୟ ଯନ୍ତ୍ରୀ ସାଗର ଦାଶ, ଏସ୍‌ଡିପିଓ ସୁଜିତ କୁମାର ନାୟକ, ଆଇଆଇସି କୁଳମଣି ସେଠୀ, ପୂର୍ତ୍ତ ବିଭାଗୀୟ ଯନ୍ତ୍ରୀ ସୋନିଆ ପ୍ରଧାନ ଓ ସିଡିପିଓ ଲଳିତା ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Share