ଗ୍ରାମୀଣ ଉଦ୍ୟାନ କାର୍ଯ୍ୟ ଅଧାପନ୍ତରିଆ

ଛତିଆ, ୨୩।୪: (ଡି.ଏନ.ଏ.): ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ପଞ୍ଚାୟତ ଅମରାବତୀ ପାଟଣାର ଅମରାବତୀ ମଠ ପରିସରରେ ନିର୍ମିତ ଗ୍ରାମୀଣ ଉଦ୍ୟାନ ଅଧାପନ୍ତରିଆ ହୋଇ ପଡ଼ିରହିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏହି ଉଦ୍ୟାନ କାର୍ଯ୍ୟ ୧୮ା୧୨ା୨୦୨୦ରେ ଆରମ୍ଭ ହୋଇଥିଲା। ଏହାରି ଭିତରେ ୨ ବର୍ଷରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ସୁଦ୍ଧା ଏଯାବତ ଉଦ୍ୟାନ କାର୍ଯ୍ୟଟି ସମ୍ପୂର୍ଣ୍ଣ ହୋଇପାରିନାହିଁ। କେବଳ ଉଦ୍ୟାନରେ ଘାସ ବିଛାଯାଇ ଚାରି ପାଖ ପ୍ରାଚୀର ନିର୍ମାଣ କରାଯିବା ସହିତ ପ୍ରାଚୀର ଉପରେ ଲାଇଟ ଲଗାଯାଇ ସରକାରୀ ଅର୍ଥକୁ ବାଟମାରଣା କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଯେତିକି ବି କାର୍ଯ୍ୟ ହୋଇଛି ତାହା ନିମ୍ନମାନର ହୋଇଥିବାରୁ ପ୍ରାଚୀରରେ ଫାଟ ସୃଷ୍ଟି ହେଲାଣି। ଲାଇଟ୍‌ଗୁଡ଼ିକ ନଷ୍ଟ ହେବାରେ ଲାଗିଲାଣି। ଉକ୍ତ ଉଦ୍ୟାନଟି ଏବେ ବୁଲା ଗୋରୁଙ୍କ ଚରାଭୂଇଁ ପାଲଟିଛି। ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବା ଅମରାବତୀ ମଠ ପରିସରରେ ଏଭଳି ଚିତ୍ର ଦେଖି ସ୍ଥାନୀୟ ଅଞ୍ଚଳ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ତୁରନ୍ତ ଏହାର କାର୍ଯ୍ୟ ଶେଷ କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଛତିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।