ବନ୍ୟାରେ ଧୋଇଗଲା ଗ୍ରାମ୍ୟ ଉନ୍ନୟନ ରାସ୍ତା

ବରୀ,୧୨ା୮(ମହେନ୍ଦ୍ର ସ୍ବାଇଁ): ବରୀ କଳାମାଟିଆ ରାସ୍ତାଠାରୁ ବାଲୁଙ୍କେଶ୍ୱର ମନ୍ଦିର ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଚଳିତ ବର୍ଷ ସାମାନ୍ୟ ବନ୍ୟାରେ ଧୋଇଯାଇଛି। ଫଳରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ବ୍ଲକ କାର୍ଯ୍ୟାଳୟ, ବରୀ-ରାମଚନ୍ଦ୍ରପୁର ଥାନାକୁ ଆସୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟକୁ ଅଧ୍ୟୟନ ନିମନ୍ତେ ଆସୁଥିବା ଛାତ୍ରୀଛାତ୍ର ମଧ୍ୟ ଅସୁବିଧାରେ ପଡୁଛନ୍ତି। ତେଣୁ ଏହାକୁ ତୁରନ୍ତ ମରାମତି କରିବାକୁ ଦାବି ହୋଇଛି। ଏହି ରାସ୍ତା ଦେଇ ଏକ ସପ୍ତାହ ଧରି ଆମ୍ବୁଲାନ୍ସ ଯାତାୟାତ ବନ୍ଦ ରହିଛି।
ବିଗତ ଦିନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ରାସ୍ତା ନିର୍ମାଣ କରାଯାଇଥିଲା। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ରାସ୍ତା ଅଣଓସାରିଆ ହେବା ସହିତ କମ ଉଚ୍ଚତା ବିଶିଷ୍ଟ ହୋଇଛି। ରାସ୍ତାରେ ଗୋଟିଏ ମାତ୍ର ବକ୍ସ କଲଭର୍ଟ ନିର୍ମାଣ କରାଯାଇଛି। ତେଣୁ ଉପରମୁଣ୍ଡରୁ ବନ୍ୟା ଓ ବର୍ଷା ଜଳ ଠିକ୍‌ଭାବେ ଏକ ମାତ୍ର ବକ୍ସ କଲଭର୍ଟ ଦେଇ ନିଷ୍କାସନ ହୋଇ ପାରୁ ନ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ବରୀ ଅଞ୍ଚଳର ବିବେକାନନ୍ଦ ନାଥଙ୍କ ନେତୃତ୍ୱରେ ସଞ୍ଜୟ କୁମାର ପାଢ଼ୀ, ସୀତାକାନ୍ତ ନାଥଶର୍ମା, ନୃସିଂହ ପତି, ଧନଞ୍ଜୟ ସାମଲ, ରତିକାନ୍ତ ନାଥ, ଧୀରେନ୍ଦ୍ର କୁମାର ପାଢ଼ୀ ପ୍ରମୁଖ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ରାସ୍ତାର ଉଚ୍ଚତାକୁ ୫ ଫୁଟ ବୃଦ୍ଧି କରିବା ସହ ଅଧିକ ବକ୍ସ କଲଭର୍ଟ ନିର୍ମାଣ କରି ସମ୍ପ୍ରସାରଣ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।