ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାମରେ ଅବ୍ୟବସ୍ଥା

ନୂଆଗାଁ,୧୦।୪ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବିଭିନ୍ନ ରାସ୍ତା ନିର୍ମାଣ ଦାୟିତ୍ୱ ଦିଆଯାଇଛି। ହେଲେ ଅଧିକାରୀ, କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ନିର୍ମାଣ କାର୍ଯ୍ୟରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ନୁହେଁ ବରଂ ଠିକାଦାରମାନଙ୍କ କଥାରେ ଉନ୍ନୟନ କାମ ଚାଲିଛି ବୋଲି ଅଭିଯୋଗ ହେଉଛି।
ପ୍ରତି ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ ସରକାର ବହୁ କୋଟି ଟଙ୍କା ବିନିଯୋଗ କରିଛନ୍ତି। ହେଲେ ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ସେଥିରେ ଅଣଦେଖା କରି ଆସୁଛନ୍ତି। ଏଥିପାଇଁ ଜନସାଧାରଣ ଉନ୍ନୟନ କାମରେ ସୁଫଳ ପାଇ ପାରୁ ନାହାନ୍ତିା ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ତ୍ୱାବଧାନରେ ମହିତମାଠାରୁ ସିକ୍ରିଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଥିଲା। ବିଭାଗର ନିୟମ ଅନୁସାରେ କାମ ଶେଷ ହେବା ଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ ଠିକାଦାର ସେହି ରାସ୍ତାର ରକ୍ଷଣାବେକ୍ଷଣ କରିବେ। କିନ୍ତୁ ୫ ବର୍ଷ ସରି ଯାଇଥିଲେ ମଧ୍ୟ କୌଣସି ଗୋଟିଏ ରାସ୍ତାର ମରାମତି କାମ କରାଯାଇ ନାହିଁ । ଏବେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି। ସେହିପରି ସୋରଡାଠାରୁ ଗୌଡଚାଞ୍ଚେରାପଲି ରାସ୍ତା ୨୪।୮।୨୦୨୨ ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଠିକାଦାର ଅଦ୍ୟାବଧି ଅଧାକାମ ଶେଷ କରିନାହାନ୍ତି। ଯାହାକୁ ନେଇ ଏକାଧିକ ଥର ଆନ୍ଦୋଳନ, ରାସ୍ତାରୋକୋ କରାଯାଇଛି। ସମ୍ପୃକ୍ତ ଠିକାସଂସ୍ଥାକୁ ମୁଦୁରାଙ୍ଗଠାରୁ କୋଶଳାଙ୍ଗ ରାସ୍ତା ନିର୍ମାଣର ଦାୟିତ୍ୱ ଦିଆଯାଇଛି ।
ସେହି କାମ ୮।୪।୨୨ରେ ଆରମ୍ଭ କରାଯାଇ ୭।୩।୨୦୨୩ରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ବର୍ତ୍ତମାନ ସୁଦ୍ଧା ସେହି ରାସ୍ତାରେ ମାତ୍ର ଅଳ୍ପ କିଛି କଙ୍କ୍ରିଟ ରାସ୍ତା ନିର୍ମାଣ କରାଯାଇଛି । ହେଲେ ନିମ୍ନମାନର କାମ ଯୋଗୁ ସେହି ରାସ୍ତା ମଝିରୁ ଫାଟି ଯାଇଛି। ଚଢେଇମରାଠାରୁ ନଇତଇଲା ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ଚାଲିଛି । ନିର୍ମାଣ ସମୟରେ ଓପାଡ଼ି ଦିଆଯାଇଥିବା ଗଛ ସ୍ଥାନରେ ଠିକ ଭାବେ ରୋଲିଂ ନ କରିବା ଯୋଗୁ ରାସ୍ତା ଦବି ଯାଇଥିବା ଦେଖିବାକୁ ମିଳିଛି । ମୁଦୁରାଙ୍ଗ-କୋଶଳାଙ୍ଗ ରାସ୍ତାରେ ସୃଷ୍ଟି ହୋଇଥିବା ଫାଟ ବାବଦରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ହିତାଞ୍ଜଳୀ ପଣ୍ଡାଙ୍କୁ ପଚାରିବାରେ ମୁଁ ନିଜେ ଉପସ୍ଥିତ ରହି କାମ ଦେଖିଛି । ହେଲେ କାହିଁକି ଫାଟିଲା ବୁଝାପଡୁନାହିଁ ।
ସେହି ରାସ୍ତାର ମରାମତି କରାଯିବ ବୋଲି ସେ କହିଛନ୍ତି। ଠିକ ସମୟରେ କାମ ନ ସରିବା ବାବଦରେ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁଙ୍କୁ ପଚାରିବାରେ ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଠିକାଦାର କାମ କରୁ ନାହାନ୍ତି। ଟେଣ୍ଡର କାମରେ ଆମେ କିଛି କରିପାରିବୁ ନାହିଁ , ଉପରିସ୍ଥ ଅଧିକାରୀ ଯାହା କରିବେ ବୋଲି ସେ କହିଛନ୍ତି।