LPG ଦର ନେଇ ନୂଆ ଖବର: ୬୦୦ ଟଙ୍କା ଯାଏ କମିଲା ଗ୍ୟାସ ଦାମ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୩।୯: କମର୍ସିଆଲ LPG ସିଲିଣ୍ଡରକୁ ନେଇ ଏବେ ବଜାରରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। କିଛି ଅଞ୍ଚଳରେ ସରକାରୀ ଦରଠାରୁ ଯଥେଷ୍ଟ କମ ମୂଲ୍ୟରେ ୧୯ କିଲୋର କମର୍ସିଆଲ LPG ସିଲିଣ୍ଡର ବିକ୍ରି ହେଉଛି। ଉତ୍ତରପ୍ରଦେଶର କୁଶୀନଗର ଜିଲାର କିଛି ଗ୍ରାମୀଣ ଅଞ୍ଚଳରେ ଏଭଳି ଡିସକାଉଣ୍ଟ ଦରରେ ସିଲିଣ୍ଡର ମିଳୁଥିବା ଖବର ଆସିଛି।

ରିପୋର୍ଟ ଅନୁସାରେ, କୁଶୀନଗରରେ ୧୯ କିଲୋର କମର୍ସିଆଲ ସିଲିଣ୍ଡରର ସରକାରୀ ଦର ପ୍ରାୟ ୨,୯୪୬ ଟଙ୍କା ରହିଥିବା ବେଳେ କିଛି ଗ୍ୟାସ ଏଜେନ୍ସିରେ ଏହା ୨,୪୦୦ରୁ ୨,୭୦୦ ଟଙ୍କା ମଧ୍ୟରେ ମିଳୁଛି। ଅର୍ଥାତ୍‌ କେତେକ କ୍ଷେତ୍ରରେ ସରକାରୀ ଦର ତୁଳନାରେ ପ୍ରାୟ ୨୦୦ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ କମ ଦାମରେ ସିଲିଣ୍ଡର ବିକ୍ରି ହେଉଛି।

ଏହି ଡିସକାଉଣ୍ଟ ତେଲ ବିପଣନ କମ୍ପାନୀ ବା OMC ପକ୍ଷରୁ ଘୋଷଣା କରାଯାଇଥିବା ଦର କମିବା ନୁହେଁ। ଗ୍ରାମୀଣ ଅଞ୍ଚଳ ଏବଂ ଛୋଟ ସହରରେ କମର୍ସିଆଲ LPGର ଚାହିଦା କମିଥିବାରୁ କିଛି ଏଜେନ୍ସି ପାଖରେ ଷ୍ଟକ ଜମି ରହିଥିବା କୁହାଯାଉଛି। ଏହି ଷ୍ଟକକୁ ଶୀଘ୍ର ବିକ୍ରି କରିବା ପାଇଁ ଡିଲରମାନେ ନିଜ ସ୍ତରରେ ଡିସକାଉଣ୍ଟ ଦେଉଥିବା ସୂଚନା ମିଳିଛି।

୧୯ କିଲୋର କମର୍ସିଆଲ ସିଲିଣ୍ଡର ସାଧାରଣତଃ ହୋଟେଲ, ରେସ୍ତୋରାଁ, ଚା’ ଓ ଖାଦ୍ୟ ଦୋକାନ, ମିଠା ଦୋକାନ ଏବଂ କ୍ୟାଟରିଂ ବ୍ୟବସାୟରେ ବ୍ୟବହାର ହୋଇଥାଏ। ଛୋଟ ବଜାରରେ ଏହି ବ୍ୟବସାୟଗୁଡ଼ିକରୁ ଚାହିଦା କମିଲେ ଏଜେନ୍ସିଗୁଡ଼ିକରେ ଷ୍ଟକ ଜମି ରହିପାରେ।

ଅନ୍ୟପଟେ, ଘରୋଇ ବ୍ୟବହାର ପାଇଁ ମିଳୁଥିବା ୧୪.୨ କିଲୋ LPG ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଉପଲବ୍ଧ ତଥ୍ୟ ଅନୁସାରେ ଦିଲ୍ଲୀରେ ଏହାର ଦର ୯୪୪ ଟଙ୍କା, ମୁମ୍ବାଇରେ ୯୪୧.୫୦ ଟଙ୍କା, କୋଲକାତାରେ ୯୬୮.୫୦ ଟଙ୍କା ଏବଂ ଚେନ୍ନାଇରେ ୯୪୭.୫୦ ଟଙ୍କା ରହିଛି।

ସେହିପରି ୧୯ କିଲୋର କମର୍ସିଆଲ LPG ସିଲିଣ୍ଡରର ଦିଲ୍ଲୀ ଦର ୨,୭୪୭.୫୦ ଟଙ୍କା ରହିଛି। ତେବେ ସ୍ଥାନୀୟ ଚାହିଦା ଓ ଷ୍ଟକ ଅନୁସାରେ କିଛି ଅଞ୍ଚଳରେ ଡିଲରମାନେ ଏହାକୁ ଡିସକାଉଣ୍ଟରେ ବିକ୍ରି କରୁଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share