ଗାଁର ମଉଡ଼ମଣି ରୁପାଲି

ମହାକାଳପଡ଼ା,୩ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଅଧୀନ ଜଙ୍ଗଲଘେରି ଗାଁ ଆଦିବାସୀ ଶବରପଡ଼ା। ଏହି ଗାଁରେ ୪୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୧୫୦ ସଦସ୍ୟ ବସବାସ କରୁଛନ୍ତି । ଗାଁକୁ ରାସ୍ତା ନାହିଁ । ଲୋକମାନଙ୍କୁ ରାଶନ କାର୍ଡ ମିଳିନି । ଆବାସ ଯୋଜନାରେ ଏହି ଗାଁ ଲୋକଙ୍କୁ ସାମିଲ କରାଯାଇନାହିଁ । ଅଙ୍ଗନଓ୍ବାଡି କେନ୍ଦ୍ରର ଅଭାବରୁ ପିଲାମାନେ ପାଠପଢ଼ାରୁ ବଞ୍ଚତ୍ତ ହୋଇଛନ୍ତି । ଏପରି ନାନା ଦୁଃଖ କଷ୍ଟରେ ଏହି ଗ୍ରାମବାସୀ ଜିଇ ଆସିଛନ୍ତି ା ଏବେ ଏହି ଗାଁରେ ଖୁସିର ଲହରି ଖେଳି ଯାଇଛି । କାରଣ ଉକ୍ତ ଗାଁର ଝିଅ ରୁପାଲି ଭକ୍ତା ଓ୍ବାର୍ଡସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । ରୁପାଲିଙ୍କ ବିଜୟ ପରେ ସେ ଗାଁକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଗାଁର ଚିତ୍ର ବଦଳିବ ବୋଲି ସେ କହିଛନ୍ତି। ଦିନ ଥିଲା ଗାଁ ଲୋକଙ୍କ ଜୀବନଜୀବିକା ବିଭିନ୍ନ କାରଣରୁ ବିପନ୍ନ ହୋଇଥିଲା । ଗାଁ ଲୋକଙ୍କ ନିଜସ୍ବ ଚାଷ ଜମି ନାହିଁ । ଜଙ୍ଗଲ ଜମିରେ ନଡ଼ା ଛପର ଘର କରି ପରିବାର ସଦସ୍ୟମାନେ ଦୀର୍ଘଦିନରୁ ମୁଣ୍ଡଗୁଞ୍ଜି ଆସିଛନ୍ତି । ରାତି ପାହିଲେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ, ନଦୀ, ସମୁଦ୍ରରୁ ମାଛ ଓ କଙ୍କଡା ଧରି ସେମାନେ ପରିବାର ପ୍ରତିପୋଷଣ କରିଥାନ୍ତି । ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ପାଲଟିଛି । ଏପରି ସ୍ଥିତିରେ ଗାଁର ରୁପାଲୀ ୱାର୍ଡ଼ସଭ୍ୟ ଭାବେ ନିର୍ବାଚିତ ହେବା ପରେ ଗାଁ ବିକାଶର ଚିତ୍ର ବଦଳିବ ବୋଲି ଦୁଃଖୀ ଭକ୍ତା, ଶାନ୍ତି ମଲିକ, ସୁଦର୍ଶନ ଭକ୍ତା, ପଇଡ଼ ଭକ୍ତା, ସପନ ଭକ୍ତା, ଗୌର ମଲିକ, ନାରଣ ନାହାକ, ଅଭିରାମ ଭକ୍ତା, ଶୁକଦେବ ଭକ୍ତା ପ୍ରମୁଖ କହିଛନ୍ତି । ଏ ସଂକ୍ରାନ୍ତରେ ରୁପାଲୀ କହିଛନ୍ତି, ଯେଉଁ ବିଶ୍ୱାସରେ ଗ୍ରାମବାସୀ ମୋତେ ଭୋଟ ଦେଇ ବିଜୟ କରିଛନ୍ତି ସେମାନଙ୍କ ସମ୍ମାନ ରକ୍ଷା କରିବି । ମହିଳାମାନଙ୍କ ସହଯୋଗରେ ଗାଁକୁ ନିଶା ମୁକ୍ତ କରିବା ପାଇଁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିଛି । ଅନ୍ୟ ଗାଁ ପରି ଏହି ଗାଁର ବିକାଶ ହେବ। ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିବାକୁ ମୁଁ ଉଦ୍ୟମ ଜାରି ରଖିବି।