ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର ବିଭିନ୍ନ ସ୍ଥାନ ସମେତ ଭଦ୍ରକ ଓ ଯାଜପୁର ଜିଲା ଏବଂ ଗାନ୍ଧି ଛକରୁ ଜିଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ସମେତ ମୟୂରଭଞ୍ଜ ଜିଲାକୁ ବିପୁଳ ପରିମାଣର ଦେଶୀ ମଦ ଚୋରା ଚାଲାଣ ହେଉଛି। ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ଅବକାରୀ ବିଭାଗ ପକ୍ଷରୁ ମାରାଥନ ଚଢାଉ ଆରମ୍ଭ ହୋଇଛି।
ଦେଶୀ ମଦ ପିଇ ଲୋକେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ସେମାନଙ୍କ ପରିବାର ନଷ୍ଟ ହୋଇଯାଉଛି। ଏହାକୁ ରୋକିବା ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ମଦ ବ୍ୟବସାୟ ବନ୍ଦ ପାଇଁ ଆନ୍ଦୋଳନ କରିଆସୁଛନ୍ତି। ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏକାଠି ହୋଇ ମଦ କାରବାର ବନ୍ଦ ଲାଗି ଥାନା, କୋର୍ଟ, କଚେରୀରେ ମାମଲାରେ ଲଢ଼େଇ ଜାରି ରଖିଛନ୍ତି। ଜିଲା ଅବକାରୀ ବିଭାଗ ପକ୍ଷରୁ ଗତ ବୁଧବାର ଗାନ୍ଧୀ ଛକସ୍ଥିତ ହୋଟେଲ ବସୁନ୍ଧରାରେ ଅତର୍କିତ ଚଢ଼ାଉ କରାଯାଇଥିଲା। ସେଠାରୁ ୧୫ଶହ ଲିଟର ଦେଶୀମଦ, ୮ଟି ବାଇକ୍‌, ନଗଦ ୮ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ୧୦ଜଣଙ୍କୁ ଗିରଫ କରାଯାଇଥିଲା। ଘଟଣାସ୍ଥଳରୁ ୩ଜଣ ଖସି ପଳାଇଥିଲେ। ପୁଣି ଗୁରୁବାର ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ପ୍ରକାଶ ମିଶ୍ରଙ୍କ ଉପସ୍ଥିତିରେ ୫୦ରୁ ଊର୍ଦ୍ଧ୍ୱ ପୋଲିସ ଓ ଅବକାରୀ କର୍ମଚାରୀ ମିଳିତ ଭାବେ ମଦ ବ୍ୟବସାୟୀ କୁଡ଼ିଆ ଗ୍ରାମର ପ୍ରତାପ ମହାପାତ୍ର ଓ ଭାଇ ପ୍ରହଲ୍ଲାଦ ମହାପାତ୍ରଙ୍କ ଘରେ ଚଢ଼ାଉ କରିଥିଲେ। ଘରେ କେହି ନ ଥିବା ବେଳେ ପୋଲିସ ଘର କବାଟ ଭାଙ୍ଗି ଭିତରେ ପଶି ଛାନଭିନ୍‌ କରିଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଛି। ଏନେଇ ଜିଲା ଅବକାରୀ ଥାନାରେ ମାମଲା (ନଂ.୪୧୭/୨୦୨୪) ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଚଢ଼ାଉରେ ଜିଲା ଅବକାରୀ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସିଏଚ୍‌ ତିରୁପତି, ବସ୍ତା ଥାନା ଆଇଆଇସି ଗୋବିନ୍ଦ ଚନ୍ଦ୍ର ବେହେରା, ମୋବାଇଲ ଆଇଆଇସି ସଞ୍ଜିତ ବାଲା, ନୀଳଗିରି ଅବକାରୀ ଥାନା ଇନ୍ସପେକ୍ଟର କେଶବ ଦାସ ଓ ସଦର ଅବକାରୀ ଥାନା ଇନ୍ସପେକ୍ଟର ଦୀପ୍ତିମୟୀ ସାହୁ ସାମିଲ ଥିଲେ। ସେହିପରି ଗତ କିଛିଦିନ ପୂର୍ବରୁ ପୁରୁଣାବାଲେଶ୍ୱର ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୭୦ହଜାର ଲିଟର ମହୁଲ ପୋଚ, ୧୨ ହଜାର ଲିଟର ଦେଶୀ ମଦ ଏବଂ ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇ ୨ଜଣଙ୍କୁ ଗିରଫ କରାଯାଇଥିଲା। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ୧୦ଟି ମାମଲା ରୁଜୁ କରାଯାଇଥିଲା।
ଜିଲା ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ସୁଶାନ୍ତ କୁମାର ପାଢ଼ୀ କହନ୍ତି, ଚୋରା ଦେଶୀ ମଦ କାରବାର ରୋକିବା ପାଇଁ ଭିନ୍ନ ଭିନ୍ନ ସମୟରେ ଚଢ଼ାଇ ଜାରି ରହିଛି। ନିର୍ବାଚନ ପାଇଁ ଜିଲାରେ ଏକ ସ୍କ୍ବାଡ୍‌ ଗଠନ କରାଯାଇ ପୂର୍ବ ପ୍ରସ୍ତୁତି ଅନୁସାରେ ଚିହ୍ନଟ କରାଯାଇଥିବା ଅଞ୍ଚଳଗୁଡ଼ିକରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଓ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ ମାମଲା ରୁଜୁ କରାଯାଉଛି। ଆସନ୍ତା ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି।