ଛତ୍ରପୁର, ୩୧।୧୦ (ଦିଲ୍ଲୀପ ସାମଲ): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଞ୍ଜାମ ପୋଲିସ ପକ୍ଷରୁ ‘ରନ୍ ଫର୍ ୟୁନିଟି’ ଦୌଡ଼ ଓ ‘ନିଶାମୁକ୍ତ ଓଡ଼ିଶା’ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଛତ୍ରପୁରସ୍ଥିତ ପୋଲିସ ପ୍ୟାରେଡ୍ ପଡ଼ିଆରୁ ‘ରନ୍ ଫର୍ ୟୁନିଟି’ ଦୌଡ଼ର ଶୁଭାରମ୍ଭ ହୋଇଥିଲା। ଅତିରିକ୍ତ ଏସ୍ପି (ଏସ୍ପି ପଦକୁ ପଦୋନ୍ନତିପ୍ରାପ୍ତ) ପ୍ରଶାନ୍ତ କୁମାର ଦାଶ ପତାକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିଥିଲେ। ପୋଲିସ କର୍ମଚାରୀ, ହୋମଗାର୍ଡ ଓ ଅନ୍ୟମାନେ ଏଥିରେ ସାମିଲ ହୋଇ ଛତ୍ରପୁର ସହର ପରିକ୍ରମା କରିଥିଲେ। ଏହା ମାଧ୍ୟମରେ ଜାତୀୟ ଏକତା, ଅଖଣ୍ଡତା, ଶାନ୍ତି ଓ ଭାଇଚାରାର ବାର୍ତ୍ତା ପ୍ରଚାର କରାଯାଇଥିଲା।
ଏହି ଅବସରରେ ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ନିଶାଦ୍ରବ୍ୟକୁ ‘ନା’ କହିବା ସହ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍ପି ରବିକାନ୍ତ ସୁନା ଓ ପ୍ରଭା ଧାନ, ଡିଏସ୍ପି ଜ୍ୟୋତ୍ସ୍ନା କାଉଁରୀ ଓ କାଳୁଚରଣ ବେହେରା, ଛତ୍ରପୁର ଏସ୍ଡିପିଓ ଚନ୍ଦନ କୁମାର ଘଡ଼ାଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ରିଜର୍ଭ ଇନ୍ସପେକ୍ଟର ସୁରେଶ କୁମାର ବଳିଆରସିଂହ ଓ ଇନ୍ସପେକ୍ଟର ଅଞ୍ଜଳି ବିଶ୍ୱାଳଙ୍କ ସମେତ ବହୁ ପୋଲିସ ଓ ହୋମଗାର୍ଡ କର୍ମଚାରୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମକୁ ରିଜର୍ଭ ଇନ୍ସପେକ୍ଟର ସୁରେଶ କୁମାର ବଳିଆରସିଂହ ସଂଯୋଜନା କରିଥିଲେ।
Dharitri – Odisha’s No.1 Odia Daily