Categories: ଜାତୀୟ

ଶାସକ ଏଲ୍‌ଡିଏଫ୍‌ ବିଜୟୀ

ଥିରୁଭାନନ୍ଥପୁରମ୍‌, ୧୭।୧୨: କେରଳ ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନରେ ଶାସକ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌) ବହୁ ଆଗରେ ରହି ବଡ଼ ବିଜୟ ହାସଲ କରିବାକୁ ଯାଉଛି। ଆସନ୍ତା ବର୍ଷ ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତା’ ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ସବୁ ଦଳ ବଡ଼ ପରୀକ୍ଷା ଭାବେ ଧରିନେଇଥିଲେ। ଶାସକ ଦଳ ବିରୋଧରେ ଦୁର୍ନୀତି ଅଭିଯୋଗ ସତ୍ତ୍ୱେ ଏହା ଅଧିକାଂଶ ଗ୍ରାମ ପଞ୍ଚାୟତ ଓ ଜିଲା ପରିଷଦ ହାତେଇବାରେ ସଫଳ ହୋଇଛି। ୯୪୫ ଗ୍ରାମ ପଞ୍ଚାୟତ ମଧ୍ୟରୁ ଏଲ୍‌ଡିଏଫ୍‌ ୫୨୦ଟିରେ ଆଗୁଆ ରହିଥିବାବେଳେ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ୍‌) ୩୭୧ଟିରେ ଆଗରେ ରହିଛି। ସେହିପରି ୧୪ ଜିଲା ପରିଷଦରୁ ଏଲ୍‌ଡିଏଫ୍‌ ୧୦ଟି ଜିତିଥିବାବେଳେ ୧୫୨ ବ୍ଲକ ପଞ୍ଚାୟତ ମଧ୍ୟରୁ ୧୦୮ଟିରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ୟୁଡିଏଫ୍‌ ୪ଟି ଜିଲା ପରିଷଦରେ ଆଗରେ ଥିବାବେଳେ ୮୬ ମ୍ୟୁନିସିପାଲିଟି ମଧ୍ୟରୁ ୪୫ଟିରେ ଆଗରେ ରହିଛି। ଶାସକ ଏଲ୍‌ଡିଏଫ ୩୫ଟିରେ ଆଗରେ ଥିବା ଜଣାପଡିଛି। ଥିରୁଭାନନ୍ଥପୁରମ୍‌ ଦଖଲ କରିବାକୁ ଆଶା ରଖିଥିବା ଭାଜପା ଏଥିରେ ବିଫଳ ହୋଇଛି। ଏଠାରେ ତ୍ରିମୁଖୀ ପ୍ରତିଯୋଗିତା ହୋଇଥିବାବେଳେ ଭାଜପା କଂଗ୍ରେସକୁ ତୃତୀୟ ସ୍ଥାନକୁ ପଠାଇଦେଇଛି। ୧୦୦ ଓ୍ବାର୍ଡ ବିଶିଷ୍ଟ ଥିରୁଭାନନ୍ତପୁରମ୍‌ କର୍ପୋରେଶନରେ ଏଲ୍‌ଡିଏଫ୍‌କୁ ୫୧ ମିଳିଥିବାବେଳେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ୩୪ ଓ୍ବାର୍ଡ ମିଳିଛି। ୟୁଡିଏଫ୍‌ ତୃତୀୟ ସ୍ଥାନରେ ରହିଛି। କେରଳରେ ୯୪୧ ଗ୍ରାମ ପଞ୍ଚାୟତ, ୧୫୨ ବ୍ଲକ୍‌ ପଞ୍ଚାୟତ, ୧୪ ଜିଲା ପରିଷଦ , ୮୬ ପୌରପରିଷଦ ଏବଂ ୬ କର୍ପୋରେଶନ ପାଇଁ ତିନି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଗୋଟିଏ ଭୋଟରେ ହାରିଲେ କଂଗ୍ରେସ ପ୍ରାର୍ଥୀ

କେରଳ ପୌର ନିର୍ବାଚନରେ କଂଗ୍ରେସର ମେୟର ପ୍ରାର୍ଥୀ ଏନ୍‌. ବେଣୁଗୋପାଳ ଭାଜପା ପ୍ରାର୍ଥୀଙ୍କଠାରୁ ଗୋଟିଏ ଭୋଟରେ ହାରିଯାଇଛନ୍ତି। ଏଥିପାଇଁ ସେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌କୁ ଦାୟୀ କରିଛନ୍ତି। ସେ କୋଚି ପୌର ନିଗମର ନର୍ଥ ଆଇଲାଣ୍ଡରୁ ପ୍ରାର୍ଥୀ ହୋଇଥିଲେ।

Share