ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଗୁରୁବାର ପ୍ରଶାସନ ପକ୍ଷରୁ ନିୟମାବଳୀ ଜାରି କରିଛନ୍ତି।ଏନେଇ ଦିଗପହଣ୍ଡି ସାହାଣୀ ସାହି ର ମା ‘ ରୁଦ୍ର କାଳୀ ନାଟ୍ୟ ସଂସଦ ଏବଂ ଭୋଇ ସାହି ର ମା ‘ ଗୌରୀ ଶଙ୍କର ନାଟ୍ୟ ସଂସଦ ର କର୍ମକର୍ତ୍ତା ମାନଙ୍କୁ ଏନଏସି କାର୍ଯ୍ୟାଳୟ ପକ୍ଷରୁ ନୋଟିସ ପ୍ରଦାନ କରାଯାଇଛି। ଦଣ୍ଡନାଚରେ କୌଣସି ପ୍ରକାର ଅଶ୍ଳୀଳ, ଅପସଂସ୍କୃତି ସମ୍ପନ୍ନ ନୃତ୍ୟ ଗୀତ ପ୍ରଦର୍ଶନ କରାଯାଇପାରିବ ନାହିଁ। ଧାର୍ମିକ ଚିନ୍ତାଧାରା ଓ ବିଶ୍ବାସକୁ ନେଇ ଅନୁଷ୍ଠିତ ହେଉଥିବା ଲୋକପରମ୍ପରା ସହିତ ଜଡିତ ଦଣ୍ଡନାଚର ଧୂଳିଦଣ୍ଡ ସମୟରେ ପାରମ୍ପରିକ ଢଗଢମାଳି ଏବଂ ଲୋକସଙ୍ଗୀତର ବ୍ୟବହାର ଅନୁମୋଦିତ। କୌଣସି ଅଶାଳୀନ ଏବଂ ଦ୍ବିଅର୍ଥ ବୋଧକ ଶବ୍ଦର ପ୍ରୟୋଗ କରାଯିବ ନାହିଁ । ରାତି ରେ ଅନୁଷ୍ଠିତ ନାଚ ମଞ୍ଚରେ କେବେଳ ପାରମ୍ପରିକ କଳା , ନୃତ୍ୟ,ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇପାରିବ।
ଦଣ୍ଡନାଚର ମୁଖ୍ୟ ପରିଚାଳକ ଦଣ୍ଡନାଚ ପୂର୍ବରୁ ଆବଶ୍ୟକୀୟ ସର୍ତ୍ତ ପୂରଣ କରି ସ୍ଥାନୀୟ ଥାନା ଅଧିକାରୀଙ୍କ ଠାରୁ ଅନୁମତି ନେବା ବାଧ୍ୟତାମୂଳକ । ଅନୁମତି ଦରଖାସ୍ତରେ ଦଣ୍ଡନାଚର ସବିଶେଷ ତଥ୍ୟ ଯଥା ନାଟକ ସମ୍ପର୍କରେ ସମ୍ପୂର୍ଣ ତଥ୍ୟ, କଳାକାରଙ୍କ ନାମ,ଠିକଣା, କେତେ ଦିନ ଓ କେଉଁ କେଉଁ ସ୍ଥାନରେ ଦଣ୍ଡନାଚ ପରିବେଷଣ କରିବେ ତାହାର ସବିଶେଷ ତଥ୍ୟ ପ୍ରଦାନ କରିବେ।
ଦଣ୍ଡନାଚ ପରିବେଷଣ ସମୟରେ ଉପରୋକ୍ତ ମାନକ ପରିଚାଳନ ପ୍ରଣାଳୀରେ ବ୍ୟତିକ୍ରମ ଘଟିଲେ ଉଲଂଘନକାରୀ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି ।

