ଝାଡ଼ୁ କରିବାକୁ ନେଇ ନିୟମ

ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପ୍ରତ୍ୟେକ ଦିନ ଆମେ ଝାଡୁ କରିଥାଉ। କିନ୍ତୁ ଜ୍ୟୋତିଷଶାସ୍ତ୍ର ଏବଂ ପୌରାଣିକ ମତାନୁସାରେ, ଝାଡ଼ୁ କରିବାକୁ ନେଇ ବି ରହିଛି କିଛି ନିୟମ; ଯାହାକୁ ମାନିଲେ ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ ଆଉ ନ ମାନିଲେ ଘରେ କି କି ଅସୁବିଧା ହୁଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ଝାଡ଼ୁ କରିବା ସମୟରେ ନୀରବ ହୋଇ ଝାଡ଼ୁ କରିବା ଦରକାର। ଗପସପ ହୋଇ ଝାଡ଼ୁ କଲେ ବେଳେବେଳେ ଧ୍ୟାନ ଏପଟ ସେପଟ ହେବାଦ୍ୱାରା ଘରର କିଛି କିଛି ସ୍ଥାନରେ ଧୂଳି ରହିଯାଏ; ଯାହା କି ମହାଲକ୍ଷ୍ମୀଙ୍କୁ ଆଦୌ ଭଲ ଲାଗେ ନାହିଁ। ସେହିପରି ଅନ୍ୟ ମନସ୍କ ହେବା ଫଳରେ ବେଳେବେଳେ କିଛି ଜରୁରୀ କାଗଜପତ୍ର ଓଳେଇ ହୋଇ ବାହାରକୁ ଚାଲିଯାଏ; ଯଦ୍ଦ୍ବାରା ପଛରେ ପସ୍ତେଇବାକୁ ପଡ଼େ। ସେଥିପାଇଁ ଝାଡ଼ୁ କରିବା ସମୟରେ ଯେତେ ଚୁପ୍‌ ଚାପ୍‌ ହୋଇ କାମ କରିବେ ସେତେ ଭଲ।

*ରାତିରେ ଘରକୁ ଆଦୌ ଝାଡ଼ୁ କରିବା ଉଚିତ ନୁହେଁ। ଯଦି କରୁଥାନ୍ତି ତା’ହେଲେ ଭୁଲ୍‌ରେ ବି ଘରର ଅଳିଆ ବାହାରକୁ ନ କାଢ଼ି ଘରର କୌଣସି କୋଣରେ ରଖି ଦିଅନ୍ତୁ। ପରଦିନ ସକାଳେ ଘର ଓଳାଇ ସବୁ ଅଳିଆକୁ ସଫା କରିଦିଅନ୍ତୁ; ଏହାଦ୍ୱାରା ଘର ପରିଷ୍କାର ହୋଇଯିବ ଆଉ ଶାନ୍ତି ବି ଲାଗିବ।

* ସେହିପରି ପୂଜା କରି ସାରିବା ପରେ, ଭୋଜନ କରିବା ପରେ କିମ୍ବା ସନ୍ଧ୍ୟା ଦେଇସାରିବା ପରେ ଘରେ ଆଦୌ ଝାଡ଼ୁ କରିବା ଠିକ୍‌ ନୁହେଁ। ଅନ୍ୟପକ୍ଷେ ଘରର କୌଣସି ସଦସ୍ୟ କାମରେ ବାହାରି ଯିବା ପରେ ସଙ୍ଗେସଙ୍ଗେ ଘରେ ଝାଡ଼ୁ କରିବା ବି ଉଚିତ୍‌ ନୁହେଁ। ଏହାଦ୍ୱାରା ବ୍ୟକ୍ତିଙ୍କର କର୍ମରେ ବାଧା ଉପୁଜିବାର ସମ୍ଭାବନା ରହିଥାଏ।