ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର ସମ୍ମିଶ୍ରଣ ସହ ଏକ ମନୋରଞ୍ଜନଧର୍ମୀ ପରିବେଷଣରେ ଥିଲା ମୋଗଲ ଶାସନର ଏକ ଝଲକ। ଲୋକନାଟ୍ୟ କୁହାଯାଉଥିବା ଏହି ପ୍ରଦର୍ଶନରେ ମୋଗଲ କର୍ମଚାରୀଙ୍କ ଚରିତ୍ରଗୁଡ଼ିକୁ ବିଦ୍ରୂପାତ୍ମକ ଢଙ୍ଗରେ ଚିତ୍ରଣ କରାଯାଉଥିଲା। ମୁଖ୍ୟ ଚରିତ୍ରରେ ଥିଲେ ରାଜସ୍ବ ଅଧିକାରୀ ମିର୍ଜା ସାହିବ। ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ଅଧସ୍ତନ ପିଆଦା, ପେସ୍କାର, ଅମିନ ପ୍ରମୁଖ । ହାସ୍ୟରସ ସୃଷ୍ଟି କରୁଥିବା ଦୁଇଟି ଆକର୍ଷଣୀୟ ଚରିତ୍ର ଥିଲେ – ଜଣେ ନର୍ତ୍ତକୀ, ଯିଏ ରସିକ ମିର୍ଜା ସାହିବଙ୍କ ବିନୋଦନ ପାଇଁ ନୃତ୍ୟ ପରିବେଷଣ କରୁଥିଲେ ଏବଂ ସେହି ସମୟରେ ଜଣେ ନାପିତ କ୍ଷୁରଟିଏ ଚଲାଇ ସାହିବଙ୍କ ଶ୍ମଶ୍ରୁ ମୁଖକୁ ସଜାଇବା ସହ ଚାଟୁ ଆଳାପରେ ଲାଗିଥିଲେ। ଚାଷୀ, ବ୍ୟବସାୟୀ, କାରିଗର ଓ ମଜୁରିଆମାନଙ୍କ ଉପରେ ମୋଗଲ ଅଧିକାରୀଙ୍କ ଶୋଷଣ, ଜୁଲମ, ବାଧ୍ୟତାମୂଳକ ଖଜଣା ଆଦାୟ ଥିଲା ଏହାର ବିଷୟବସ୍ତୁ। ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ମୋଗଲ ଶାସନାଧୀନ ଅବିଭକ୍ତ ବାଲେଶ୍ବର ଜିଲା ସମେତ ଓଡ଼ିଶାର ଅନ୍ୟ ଉପକୂଳ ଅଞ୍ଚଳରେ ସାଧାରଣ ଲୋକେ କି ପ୍ରକାର ଦୁଃଖ ଓ ନିର୍ଯାତନା ଭୋଗିଥିଲେ, ଏହା ଥିଲା ସେସବୁର ପ୍ରତିଛବି। ଐତିହାସିକମାନେ ସିନା ଏକ ଶାସନ କାଳରେ ପ୍ରଚଳିତ ନୀତିନିୟମ, ଶାସକଙ୍କ ରାଜ୍ୟ ଜୟ, କୀର୍ତ୍ତି ଅକୀର୍ତ୍ତିର ଘଟଣାମାନ ଲିପିବଦ୍ଧକରି ରଖନ୍ତି; ହେଲେ ଏକ ଲୋକ ନାଟକ ସଂରକ୍ଷିତ କରି ରଖିଥାଏ ସେହି ସମୟର ଅନୁଭୂତି, ଲୋକଙ୍କ ଜୀବନରେ ଶାସନ କିପରି ପହଞ୍ଚିଥାଏ, ତାହାର ବିବରଣ। ଏକ ଶାସନର ଅନ୍ତ ଘଟେ, ଶାସକର ରାଜୁତି ସମୟକ୍ରମେ ଇତିହାସରେ ଲୀନହୋଇଯାଏ। ମାତ୍ର ସେହି ରାଜୁତିର ପ୍ରଭାବ ଦୀର୍ଘକାଳ ସମାଜକୁ ଆଚ୍ଛନ୍ନକରି ରଖେ, ଜନମାନସରେ ସ୍ମୃତିହୋଇ ରହିଥାଏ ଅନେକ ଶତାବ୍ଦୀ। ଶାସକଙ୍କ ବିରୋଧରେ ହୁଏତ ଦୁର୍ବଳ ଜନତା ବିଦ୍ରୋହ କରିପାରେ ନାହିଁ, କିନ୍ତୁ ସେମାନଙ୍କ ଅନ୍ୟାୟ, ଅନୀତି ଓ ବ୍ୟଭିଚାରକୁ ବ୍ୟଙ୍ଗ କରିପାରେ।
ଶାସନ ଓ ସଭ୍ୟତା ସହ ଏହି ଉପାଖ୍ୟାନର କି ସମ୍ବନ୍ଧ? ଏକ ନିର୍ଦ୍ଦିଷ୍ଟ ସମୟର ଶାସନ କଳ ଆପଣା କ୍ଷମତା ଓ ବିଚାର ପ୍ରୟୋଗକରି ସମାଜକୁ ଏକ ଗତି ଦିଏ, ଏକ ଦିଶା ଦିଏ। କାଳକ୍ରମେ ସଭ୍ୟତା ଅତୀତର ସେହି ଶାସକକୁ ପ୍ରଶ୍ନକରେ- ତୁମ ଶାସନ ଓ ଶାସନ କାଳ କି ପ୍ରକାର ସମାଜଟିଏ ସୃଷ୍ଟିକଲା? ସେହି ସମାଜରେ କେଉଁ ମୂଲ୍ୟବୋଧର ପ୍ରସାରଣ ଘଟିଲା, ପିଢ଼ି ପରେ ପିଢ଼ି କେଉଁ ଚରିତ୍ରର ବ୍ୟକ୍ତି ତିଆରି ହେଲେ? ଏହି କ୍ରମରେ ଆମର ସବୁଠୁ ବଡ଼ ମୌଳିକ ପ୍ରଶ୍ନ : କେଉଁ ପ୍ରକାର ଶାସନ ଏକ ସଭ୍ୟ ସମାଜ ନିର୍ମାଣରେ ସହାୟକ ହୁଏ? ଏବଂ ସଭ୍ୟତାକୁ କିଛି ଆଗକୁ ନେଇଯାଇପାରେ? କାରଣ ଶାସନକଳ ପାଖରେ ପ୍ରଚଣ୍ଡ ଶକ୍ତି; ଏହା ସମାଜକୁ ଗଢ଼ିପାରେ, ଭାଙ୍ଗିପାରେ।
ଭାରତୀୟ ସଭ୍ୟତା କ’ଣ? ଏହା ଏକ ଦ୍ୱନ୍ଦ୍ୱ! ଏହା ଉପରେ ମହାନ୍‌ ଭାରତୀୟ ବ୍ୟକ୍ତିମାନଙ୍କ ମଧ୍ୟରେ ଭିନ୍ନ ମତ ରହିଆସିଛି। ଗାନ୍ଧିଜୀଙ୍କ ଭଳି ମହାତ୍ମା ଭାବେ ପରିଚିତ ନେତା ଓ ଶ୍ରୀଅରବିନ୍ଦଙ୍କ ଭଳି ସାଧକ ଭାରତର ପ୍ରାଚୀନ ପରମ୍ପରା, ଆଧ୍ୟାତ୍ମିକ ଦର୍ଶନ ଏବଂ ସାଂସ୍କୃତିକ ଐତିହ୍ୟକୁ ଭାରତୀୟ ସଭ୍ୟତାର ଅନନ୍ୟ ପରିଚୟ ମାନନ୍ତି। ଜବାହରଲାଲ ନେହେରୁ ଓ ରବୀନ୍ଦ୍ରନାଥ ଠାକୁର ଭାରତ ଭୂଖଣ୍ଡର ବିବିଧତାକୁ ଦେଖି ପ୍ରତ୍ୟେକ ଧର୍ମ, ଭାଷା ଓ ସଂସ୍କୃତି ପ୍ରତି ସମ୍ମାନ ଏବଂ ପ୍ରତ୍ୟେକର ସୁରକ୍ଷା ଚାହିଁଛନ୍ତି। ରାମ ମନୋହର ଲୋହିଆ ଓ ଡ. ଭୀମରାଓ ଆମ୍ବେଡକରଙ୍କ ଭଳି ସମାଜବାଦୀ ବିଦ୍ବାନମାନେ ଜାତିଭେଦ ଓ ଅସମାନତା ଭାରତୀୟ ସମାଜର କଳଙ୍କ ବୋଲି ଚିହ୍ନାଇ ଦେବା ସହ ଏକ ସମତାପୂର୍ଣ୍ଣ ଗଣତାନ୍ତ୍ରିକ ଭାରତ ଗଠନ ପାଇଁ ଲଢ଼ିଛନ୍ତି। ଏମାନେ ଭାରତୀୟ ପ୍ରାଚୀନ ଗ୍ରନ୍ଥରେ ଥିବା ଆଦର୍ଶବାଣୀ ଏବଂ ବାସ୍ତବ ପ୍ରୟୋଗ ମଧ୍ୟରେ ବିରୋଧାଭାସ ଦେଖିଛନ୍ତି। ଭାରତକୁ ମାତା ବୋଲି ସମ୍ବୋଧନ କରାଯାଉଛି, ମାତ୍ର ଭାରତୀୟ ମହିଳା ନାନା ଭାବେ ଅସମ୍ମାନିତ ଓ ଅସୁରକ୍ଷିତ ମନେକରୁଛନ୍ତି। ଜଣେ ରାଜା ବା ଏକ ଶାସକ ଗୋଷ୍ଠୀ କେତେବର୍ଷ ଶାସନ କଲେ, ତାହା ପ୍ରଧାନ ଚର୍ଚ୍ଚାର ବିଷୟ ହେବା ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେହି ରାଜତ୍ୱ ସମାଜକୁ କିପରି ଭାବେ ପ୍ରଭାବିତ କଲା ଏବଂ ନିର୍ଦ୍ଦିଷ୍ଟ ଭାବେ ସାଧାରଣ ଲୋକଙ୍କ ଜୀବନକୁ କେତେ ସକ୍ଷମ, ଉନ୍ନତ ଓ ସୁଖକର କରିପାରିଲା, ତାହା ହିଁ ସଭ୍ୟତାର ମାପକାଠି ହେବ କଥା। ୩ ଶହ ବର୍ଷ ପରେ ମଧ୍ୟ ମୋଗଲ ଶାସକର ଅହଂକାର ଓ ଅପକୀର୍ତ୍ତି ପ୍ରତି ଭର୍ତ୍ସନା ହିଁ ‘ମୋଗଲ ତାମସା’ର ଅନ୍ତର୍ନିହିତ ସ୍ବର।
ମୋଗଲଙ୍କ ପରେ ଆସିଲେ ଇଂରେଜ। ଇଂରେଜମାନେ ସେମାନଙ୍କ ଶାସନ କାଳରେ ଦେଶର ଧନ ଲୁଣ୍ଠନ କଲେ। ଲୁଣ୍ଠନ ସକାଶେ ପରିବହନ ପାଇଁ ରେଳଗାଡ଼ି ଚଳାଇଲେ ଓ ଯୋଗାଯୋଗ ସୁବିଧା ନିମନ୍ତେ ଡାକ ବିଭାଗ ବସାଇଲେ, ଯେଉଁଗୁଡ଼ିକ ଏବେ ଆମ ସଭ୍ୟତାର ଅଙ୍ଗ ହୋଇଛି। ଭାରତୀୟଙ୍କୁ ସଭ୍ୟତା ଶିଖାଇବା ନାମରେ ସେମାନେ ଇଂଲିଶ ଶିକ୍ଷା ପ୍ରବର୍ତ୍ତନ କଲେ। ସେଥିରୁ ପ୍ରାଚ୍ୟ ପାଶ୍ଚାତ୍ୟ ବିବାଦର ସୂତ୍ରପାତ ହୋଇଥିଲା। ଦଳେ ଇଂରାଜୀଙ୍କୁ ସମର୍ଥନକଲେ, ଆଉ ଦଳେ ଭାରତୀୟ ଭାଷାଗୁଡ଼ିକର ସୁରକ୍ଷା ଓ ବିକାଶ ଦିଗରେ କାମ କଲେ। ବର୍ତ୍ତମାନ ଇଂଲିଶ ଭାଷା ଆମର ଏକ ସମ୍ବଳ ଭାବେ ସ୍ବୀକୃତି ପାଇଛି। ଯେଉଁ ବିଚାର ବ୍ୟବସ୍ଥା ଓ କିରାଣି ସଂସ୍କୃତି ସେମାନେ ଆରମ୍ଭ କରି ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଦଣ୍ଡିତ କରିଥିଲେ ଓ ସାଧାରଣ ପ୍ରଜାଙ୍କୁ ତାଡ଼ନା ଦେଇଥିଲେ, ଆଜି ସେହି ବ୍ୟବସ୍ଥା ପ୍ରଚଳନ ରହିଛି ଏବଂ ଗୋରା ସାହେବ ସ୍ଥାନରେ କଳା ସାହେବମାନେ ସମାନ ଅହଙ୍କାର ପ୍ରଦର୍ଶନ କରୁଛନ୍ତି। ବ୍ରିଟିଶ ଓକିଲମାନେ କଳା କୋଟ୍‌ ଓ ଧଳା ଶାର୍ଟ ପିନ୍ଧୁଥିଲେ, ଯେଉଁ ପୋଷାକ ମୂଳତଃ ଏକ ଥଣ୍ଡା ଜଳବାୟୁ ଅଞ୍ଚଳରୁ ସୃଷ୍ଟି ହୋଇଥିଲା, ମାତ୍ର ସ୍ବାଧୀନତା ପ୍ରାପ୍ତିର ଦୀର୍ଘ କାଳ ପରେ ସୁଦ୍ଧା ଭାରତୀୟ ଓକିଲମାନେ ଆମ ଗ୍ରୀଷ୍ମ ବାତାବରଣରେ ମଧ୍ୟ ସେହି ଉପନିବେଶବାଦୀ ପୋଷାକକୁ ଅନୁକରଣ କରିଚାଲିଛନ୍ତି। ଭାରତୀୟ ସଂସ୍କୃତିର ପ୍ରବକ୍ତାମାନେ ଏହାର ଉଚ୍ଛେଦ ପାଇଁ ଚେଷ୍ଟା କରିନାହାନ୍ତି କାହିଁକି? ଗରମରେ ଝାଳ ସରସର ହୋଇ ସୁଦ୍ଧା ଜଜ୍‌ ଓ ଓକିଲମାନେ ବିଦେଶୀ ଶାସକଙ୍କ କୋର୍ଟ ପରିଧାନକୁ ଛାଡ଼ିପାରୁନାହାନ୍ତି, କାହିଁକି? ଆନୁଷ୍ଠାନିକ କ୍ଷମତାର ଏକ ପ୍ରତୀକ ବୋଲି, ନା? ଆଜିକା କଥା ଭାବନ୍ତୁ, ସେହି କାଳରୁ ଆମେ ଆବୋରି ଧରିଥିବା କୋର୍ଟ, କଚେରି, ପୋଲିସ ବ୍ୟବସ୍ଥା ଓ ସଂସ୍କୃତି ସାଧାରଣ ଲୋକଙ୍କ ପାଇଁ ସମ୍ବେଦନଶୀଳ ହୋଇଛି କି? ବାରମ୍ବାର ଆମେ କାହିଁକି ଶୁଣିବାକୁ ପାଉଛୁ ନ୍ୟାୟ ବ୍ୟବସ୍ଥା ଧନୀ ଓ କ୍ଷମତାଶାଳୀଙ୍କ ପାଇଁ ଏକ ପ୍ରକାର, ଗରିବ ଓ ଦୁର୍ବଳଙ୍କ ପାଇଁ ଅନ୍ୟ ପ୍ରକାର?
କୌଣସି ଦେଶ ବା ସମାଜରେ ଏକ ନିର୍ଦ୍ଦିଷ୍ଟ କାଳରେ ଥିବା ଶାସନ ବ୍ୟବସ୍ଥା ସେହି ସମାଜର ସାମୂହିକ ଚେତନା ଓ ବ୍ୟକ୍ତି ଚରିତ୍ର ଉପରେ ପ୍ରଗାଢ଼ ପ୍ରଭାବ ପକାଇଥାଏ। ଶାସନ ଯଦି ଶୃଙ୍ଖଳିତ ଲୋକ କଲ୍ୟାଣକାରୀ ଏବଂ ସମ୍ବେଦନଶୀଳ ହୁଏ, ସାମାଜିକ ଜୀବନ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସୃଜନଶୀଳ ହୋଇପାରେ। ବିପରୀତରେ ଶାସନ କ୍ରୂର, ଲୁଣ୍ଠନକାରୀ ଏବଂ ଅମାନବିକ ହେଲେ ତତ୍କାଳୀନ ସମାଜରୁ ମିତ୍ରଭାବ ଓ ଶାଳୀନତା ଉଭେଇଯାଏ, ବ୍ୟକ୍ତି ଚରିତ୍ର ଅବିଶ୍ବାସ, ଅସୁରକ୍ଷା ଓ ଅସହିଷ୍ଣୁତା ଦ୍ବାରା କବଳିତ ହୁଏ। ଏକ ଶାସନ ସମାପ୍ତ ହେବା ପରେ ତାହାର ଅବଶେଷକୁ ସମାଜ ଭିନ୍ନ ଭିନ୍ନ ପ୍ରକାରେ ଗ୍ରହଣକରେ, କେତେକାଂଶକୁ ତ୍ୟାଗକରେ, କେତେକ ବେଶ୍‌ ଆଦୃତ ହୁଏ, କେତେକ ଅଂଶ ଅଜାଣତରେ ଲୋକଙ୍କ ଅଭ୍ୟାସ ହୋଇ ରହିଯାଏ। ଏହି ମାନଦଣ୍ଡ ଦେଇ ଆମେ ବର୍ତ୍ତମାନ ଶାସନର ଭବିଷ୍ୟତ ପରିଣାମ ଆକଳନ କରିପାରିବା।

ସତ୍ୟବ୍ରତ ବାରିକ୍‌
– ବାରିପଦା, ମୟୂରଭଞ୍ଜ
ମୋ: ୯୯୩୮୦୦୯୧୮୧

Dharitri – Odisha’s No.1 Odia Daily

Share