ସାବଧାନ! ଆଜିଠୁ ବଦଳିଲା ୭ ବଡ଼ ନିୟମ: କ’ଣ ମହଙ୍ଗା, କ’ଣ ହେଲା ଶସ୍ତା, ଜାଣନ୍ତୁ…

ନୂଆଦିଲ୍ଲୀ, ୧।୯: ସେପ୍ଟେମ୍ବର ୧ ତାରିଖରୁ କେବଳ କ୍ୟାଲେଣ୍ଡରର ପୃଷ୍ଠା ବଦଳିନାହିଁ, ବରଂ ସାଧାରଣ ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚ ସହ ଜଡ଼ିତ ଅନେକ ନିୟମ ଓ ଦରରେ ପରିବର୍ତ୍ତନ ଆସିଛି। ରୋଷେଇ ଘରର ବଜେଟଠାରୁ ଆରମ୍ଭ କରି ଗାଡ଼ି କିଣିବା, ଦୁଧ, ପ୍ରପର୍ଟି ଟ୍ୟାକ୍ସ ଏବଂ ଆୟକର ରିଟର୍ନ ପର୍ଯ୍ୟନ୍ତ ଏହି ପରିବର୍ତ୍ତନର ପ୍ରଭାବ ପଡ଼ିପାରେ। ଜାଣନ୍ତୁ, ଆଜିଠାରୁ ଲାଗୁ ହୋଇଥିବା ୭ଟି ବଡ଼ ପରିବର୍ତ୍ତନ।

୧. ତେଲ ବିପଣନ କମ୍ପାନୀଗୁଡ଼ିକ ୧ ସେପ୍ଟେମ୍ବରରୁ ୧୯ କିଲୋଗ୍ରାମରେ କମର୍ସିଆଲ LPG ସିଲିଣ୍ଡର ଦାମରେ ୯.୫୦ ଟଙ୍କା ବୃଦ୍ଧି କରିଛନ୍ତି। ତେବେ ଘରୋଇ ବ୍ୟବହାରର ୧୪.୨ କିଲୋଗ୍ରାମ LPG ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ।

୨. ଚଳିତ ମାସରେ ନୂଆ କାର୍‌ କିଣିବାକୁ ଯୋଜନା କରୁଥିଲେ ବଜେଟ ବଢ଼ାଇବାକୁ ପଡ଼ିପାରେ। ଟାଟା ମୋଟର୍ସ ଏବଂ ହୁଣ୍ଡାଇ ୧ ସେପ୍ଟେମ୍ବରରୁ ସେମାନଙ୍କ କିଛି ଗାଡ଼ିର ଦାମ ବଢ଼ାଇଛନ୍ତି। ଟାଟା ମୋଟର୍ସର ବିଭିନ୍ନ ମଡେଲ ଓ SUVର ଦାମରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।

୩.ମୁମ୍ବାଇରେ ତବେଲାରୁ ଖୋଲା କ୍ଷୀର କିଣୁଥିବା ଲୋକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଚାରା ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ବଢ଼ିବା କାରଣରୁ ଖୋଲା କ୍ଷୀରର ଦାମ ପ୍ରତି ଲିଟରରେ ୯ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ତେବେ ପ୍ୟାକେଟ କ୍ଷୀରର ଦାମରେ ଏପର୍ଯ୍ୟନ୍ତ ପରିବର୍ତ୍ତନ ହୋଇନାହିଁ।

୪. ନନ-ଅଡିଟ ବ୍ୟବସାୟୀ ଏବଂ ପ୍ରଫେସନାଲ୍ମାନଙ୍କ ପାଇଁ ITR-3 ଦାଖଲ କରିବାର ଶେଷ ତାରିଖ ୩୧ ଅଗଷ୍ଟ ଥିଲା। ଏବେ ୧ ସେପ୍ଟେମ୍ବରରୁ ରିଟର୍ନ ଦାଖଲ କଲେ ଲେଟ ଫି ଦେବାକୁ ପଡ଼ିବ। ଆୟକର ନିୟମ ଅନୁଯାୟୀ ଏହି ଜରିମାନା ୧,୦୦୦ରୁ ୫,୦୦୦ ଟଙ୍କା ମଧ୍ୟରେ ହୋଇପାରେ। ବିଳମ୍ବିତ ରିଟର୍ଣ୍ଣ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଦାଖଲ କରାଯାଇପାରିବ।

୫.ବିଦେଶ ଯାତ୍ରା କରୁଥିବା ହାଇଯାତ୍ରୀଙ୍କ ପାଇଁ ଇମିଗ୍ରେସନ ପ୍ରକ୍ରିୟା ଆହୁରି ସହଜ ହୋଇଛି। ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଇମିଗ୍ରେସନ କ୍ଲିୟରାନ୍ସ ସମୟରେ ବୋର୍ଡିଂ ପାସ୍ରେ ଫିଜିକାଲ ଷ୍ଟାମ୍ପ ଲଗାଇବାର ଆବଶ୍ୟକତା ରହିବ ନାହିଁ। ଯାତ୍ରୀମାନେ ମୋବାଇଲ୍ରେ ଇଲେକ୍ଟ୍ରୋନିକ ବୋର୍ଡିଂ ପାସ ଦେଖାଇ କ୍ଲିୟରାନ୍ସ ପାଇପାରିବେ।

୬. NCRର ଫରିଦାବାଦରେ ରହୁଥିବା ଲୋକଙ୍କ ପାଇଁ ଘର ଖର୍ଚ୍ଚ ବଢ଼ିପାରେ। ୧ ସେପ୍ଟେମ୍ବରରୁ ପ୍ରପର୍ଟି ଟ୍ୟାକ୍ସ କଲେକ୍ଟର ରେଟ ଆଧାରରେ ନିର୍ଦ୍ଧାରଣ ହେବ। ଅର୍ଥାତ୍‌ ଯେଉଁ ଅଞ୍ଚଳର କଲେକ୍ଟର ରେଟ ଅଧିକ, ସେଠାରେ ପ୍ରପର୍ଟି ଟ୍ୟାକ୍ସ ମଧ୍ୟ ଅଧିକ ହେବ। ଏହା ସହ ପ୍ରାୟ ୧୪ ବର୍ଷ ପରେ ସିୱେର୍‌ ଓ ପାଣି ଦରରେ ସଂଶୋଧନ କରାଯାଇଛି। ଏହି ଦର ପ୍ରାୟ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ।

୭. ପ୍ରତି ମାସର ୧ ତାରିଖ ଭଳି ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି ହୋଇଛି। ଅନ୍ତର୍ଜାତୀୟ ବଜାରରେ ତେଲ ଦରରେ ଉତ୍ଥାନ-ପତନ ଜାରି ରହିଥିଲେ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦାମରେ ଏପର୍ଯ୍ୟନ୍ତ ବଡ଼ ପରିବର୍ତ୍ତନ ହୋଇନାହିଁ। ଅର୍ଥାତ୍‌ LPG ଦାମ ବଢ଼ିଥିବା ବେଳେ ପେଟ୍ରୋଲ-ଡିଜେଲ ଦର ପ୍ରାୟ ସ୍ଥିର ରହିଛି।

Odisha’s No.1 Odia Daily

Share