ରଥଖଳାରେ ପହଞ୍ଚିଲା ରୁକୁଣା ରଥ

ପୁରୁଣା ଭୁବନେଶ୍ୱର,୪ା୪(ଡି.ଏନ୍‌.ଏ.): ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୋସାଗରେଶ୍ୱର ଛକ ନିକଟରେ ଅଟକି ରହିଥିବା ରୁକୁୁଣା ରଥକୁ ସୋମବାର ଅପରାହ୍ନ ୪ଟା ୧୫ରେ ଟଣାଯାଇଥିଲା। ରଥରେ ସକାଳ ଧୂପ ପରେ ବିଭିନ୍ନ ନୀତିକାନ୍ତ କରାଯାଇଥିଲା। ପରେ ରଥ କାଳେସି ଭବାନୀ ପ୍ରସାଦ ଖୁଣ୍ଟିଆ ରଥ ଟାଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଶତାଧିକ ଶ୍ରଦ୍ଧାଳୁ ରଥ ଟାଣିବା ସହ ବଢେଇବାଙ୍କରେ ପହଞ୍ଚିଥିଲା। ସେଠାରୁ ରଥ ରଥଖଳା ଅଭିମୁଖେ ଟଣାଯାଇଥିଲା। ରଥଦାଣ୍ଡର ଅନତି ଦୂରରେ ରଥ ଅଟକିଥିଲା। ଏହି ଅବସରରେ ରଥରେ ପ୍ରଭୁ ଶ୍ରୀଲିଙ୍ଗରାଜ ମା’ପାର୍ବତୀଙ୍କୁ କାହିଁକି ନେଇନଥିଲେ, ତେଣୁ ସେ ଚାହାଣୀ ମଣ୍ଡପରେ ରୋଷଭରା ଅପେକ୍ଷା କରିଥିଲେ। ରଥ ଆସିବା ଦେଖି ମା’ପାର୍ବତୀ ସୁସଜ୍ଜିତ ପାଲିଙ୍କିରେ ସେବାୟତ ଗହଣରେ ରାଗ ତମ ତମ ହୋଇ ରଥ ଚାରିପଟେ ବୁଲି ଆସିଥିଲେ, ଇତି ମଧ୍ୟରେ ରଥରୁ ଖଣ୍ଡେ କାଠ ଭାଙ୍ଗି ପୁଣି ଚାହାଣି ମଣ୍ଡପକୁ ଫେରିଆସିଥିଲେ। ଏହା ସନ୍ଧ୍ୟା ୬ଟା ୨୪ରେ ସମ୍ପନ୍ନ ହୋଇଥିଲା। ସୂର୍ଯ୍ୟାସ୍ତ ହୋଇଆସୁଥିବାରୁ ରଥ ପୁନଃ ଟାଣିବା ପାଇଁ କାଳେସି ନିର୍ଦ୍ଦେଶ ଦେଇଥିଲେ। ୧୦ମିଟର ରଥ ଗଡ଼ିବା ପରେ ବାମପାର୍ଶ୍ୱ ରାସ୍ତାକୁ ମାଡ଼ିଯାଇଥିଲା। ଫଳରେ ଏକ ଜଳଖିଆ ଦୋକାନର ଛପର ଉଡ଼ିଯାଇଥିଲା। ରଥଖଳା ଆଉ ୧୦୦ ମିଟର ଥିବାବେଳେ ରଥ ଚକ ଦବିଯାଇଥିବାରୁ ହରଡ଼ା ସେବାୟତ ଚେଷ୍ଟା କରିଥିଲେ ମଧ୍ୟ ରଥ ଆଉ ଗଡ଼ିନଥିଲା।