ପ୍ରାଚୀନ ଶିବ ମନ୍ଦିରର ଧ୍ୱଂସାବଶେଷ ଠାବ

ଚଣ୍ଡିଖୋଲ,୧୫ା୭(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ବାଲିପଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଦେକୁଡୀ-ଚାନ୍ଦପୁର ଗ୍ରାମ ଉପକଣ୍ଠ ତେଲଙ୍ଗା ଗଡ଼ିଆରୁ ପଙ୍କ ଉତ୍ତୋଳନ ବେଳେ ଏକ ପ୍ରାଚୀନ ଶିବ ମନ୍ଦିରର ଧ୍ୱଂସାବଶେଷ ଠାବ କରାଯାଇଛି।
ଏଥିରେ ମୋଟ୍‌ ୪୦ଖଣ୍ଡ ମସୃଣ, ପାଲିସ୍‌ ଯୁକ୍ତ ସାଧା ଆୟତାକାର ପ୍ରସ୍ତରଖଣ୍ଡ ଏବଂ ବିବିଧ ସୁକ୍ଷ୍ମାତିସୁକ୍ଷ୍ମ ଖୋଦାଇ ଯୁକ୍ତ କାରୁକାର୍ଯ୍ୟପୂର୍ଣ୍ଣ ବିଶାଳକାୟ ପ୍ରସ୍ତରଖଣ୍ଡ ମାନ ରହିଛି। ଉପରୋକ୍ତ କାରୁକାର୍ଯ୍ୟଭରା କଳା ସ୍ଥାପତ୍ୟପୂର୍ଣ୍ଣ ପ୍ରସ୍ତର ଖଣ୍ଡ ଗୁଡିକୁ ଟିକିନିଖି ସର୍ବେକ୍ଷଣ, ନିରୀକ୍ଷଣ ଏବଂ ପରୀକ୍ଷଣ କରିଥିବା ଐତିହାସିକ ତଥା ବୌଦ୍ଧ ଗବେଷକ ଡ. ହରିଶ୍ଚନ୍ଦ୍ର ପୃଷ୍ଟି ଏହିଠାରେ ଖ୍ରୀଷ୍ଟୀୟ ୧୩ଶ-୧୪ଶ ଶତାବ୍ଦୀବେଳେ ବା ଓଡିଶାରେ ଗଙ୍ଗଯୁଗୀୟ ଶାସନ ଅମଳରେ ପ୍ରାୟତଃ ୭୦-୮୦ଫୁଟ ଉଚ୍ଚର ଏକ ବିଶାଳକାୟ ନଭୋଶ୍ଚୁମ୍ଭୀ-ସୁଦୃଶ୍ୟ-ଭବ୍ୟ ଶିବ ମନ୍ଦିର ଗଢି ଉଠିଥିଲା ବୋଲି ମତବ୍ୟକ୍ତ କରିଛନ୍ତି।