ବଲାଙ୍ଗୀର,୧୭ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା ଓଡିଶା ସୂଚନା ଅଧିକାର ଅଭିଯାନ ବଲାଙ୍ଗୀର ଜିଲା ଆବାହକ ନୀଳମଣି ଯୋଷୀ (୬୨)ଙ୍କ ଶୁକ୍ରବାର ସନ୍ଧ୍ୟାରେ ହୃଦ୍ଘାତରେ ପରଲୋକ ହୋଇଥିବା ଜଣାପଡ଼ିଛି। କିଛିଦିନ ତଳେ ତାଙ୍କର ହୃଦ୍ ଚିକିତ୍ସା ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କର ପୁଅ, ବୋହୂ, ଝିଅ, ଜ୍ବାଇଁ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ପାଇବା ପରେ ତାଙ୍କ ପ୍ୟାଲେସ୍ଲାଇସ୍ଥିତ ବାସଭବନକୁ ବହୁ ବିଶିଷ୍ଟ ବ୍ୟକ୍ତି, ସୂଚନା କର୍ମୀ ଓ ଅନ୍ୟମାନେ ଯାଇ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ପ୍ରକାଶ ଯେ, ୨୦୧୩ରେ ବଲାଙ୍ଗୀରରେ ଆର୍ଆଇ, ଅମିନ ନିଯୁକ୍ତି ଦୁର୍ନୀତି ପ୍ରଘଟ କରିବାରେ ସେ ସାହସିକ ପଦକ୍ଷେପ ଗ୍ରହଣ ପୂର୍ବକ ତକ୍ରାଳୀନ ଜିଲା ପ୍ରଶାସନକୁ ଚ୍ୟାଲେଞ୍ଜ କରିଥିଲେ। ତାଙ୍କରି ତଥ୍ୟ ଆଧାରରେ ବଲାଙ୍ଗୀରର ଆର୍ଆଇ, ଅମିନ ନିଯୁକ୍ତି ଦୁର୍ନୀତି ଲୋକଲୋଚନକୁ ଆସିଥିଲା ଏବଂ ଏହି ନିଯୁକ୍ତି ଅସିଦ୍ଧ ଘୋଷଣା କରାଯାଇଥିଲା। ଏଭଳିକି ଏହି ମାମଲାରେ ସଂପୃକ୍ତ ତକ୍ରାଳୀନ ବଲାଙ୍ଗୀର ଜିଲାପାଳ ଗିରଫ ହୋଇ ଜେଲ ଯାଇଥିଲେ। ଏହି ମାମଲାରେ ସଂପୃକ୍ତ ଅନ୍ୟ ଅଧିକାରୀମାନେ ମଧ୍ୟ ନିଲମ୍ବିତ ହୋଇଥିଲେ। ଏହାବାଦ୍ ଯୋଗାଣ ବିଭାଗର ଚାଉଳ ରି ସାଇକ୍ଲିଂ, ଯୋଗାଣ ବିଭାଗ-ରାଇସ ମିଲର୍ସଙ୍କ ଧାନକିଣା ଦୁର୍ନୀତି, ଛତୁଆ ଦୁର୍ନୀତି ଭଳି ଅନେକ ଦୁର୍ନୀତି ଓ ଅନିୟମିତା ଘଟଣାକୁ ଲୋକଲୋଚନକୁ ଆଣିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିଲେ। ବଲାଙ୍ଗୀର ଜିଲା ସମେତ ରାଜ୍ୟର ବିଭିନ୍ନ ଜିଲାରେ ସେ ସୂଚନା ଅଧିକାର ଆଇନ ବଳରେ ଅନେକ ଦୁର୍ନୀତି ଓ ଅନିୟମିତତାକୁ ଲୋକଲୋଚନକୁ ଆଣିଥିଲେ। ଶନିବାର ସକାଳେ ତାଙ୍କର ଅନ୍ତିମ ସତ୍କାର ବଲାଙ୍ଗୀର ସ୍ବର୍ଗଦ୍ୱାରଠାରେ କରାଯାଇଥିବା ସୂଚନା ମିଳିଛି।

