ଆର୍‌ଟି-ପିସିଆର୍‌ କରୋନା ଟେଷ୍ଟ୍‌ ୪୦୦ ଟଙ୍କାରେ: ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ, ୨ ସପ୍ତାହ ମଧ୍ୟରେ ଜବାବ ତଲବ

ନୂଆଦିଲ୍ଲୀ,୨୪।୧୧: ଦେଶରେ କରୋନା ସଂକ୍ରମଣ ପୁଣି ଫେରିଥିବାବେଳେ ମଙ୍ଗଳବାର ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନୋଟିସ୍‌ ଜାରି କରାଯାଇଛି। ଆର୍‌ଟି-ପିସିଆର୍‌ କରୋନା ଟେଷ୍ଟ୍‌ ୪୦୦ ଟଙ୍କାରେ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଆବେଦନ କରାଯାଇଥିଲା। ଏନେଇ କୋର୍ଟ ପକ୍ଷରୁ ସମସ୍ତର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନୋଟିସ୍‌ ଜାରି ହୋଇଛି। ଆର୍‌ଟି-ପିସିଆର୍‌ କରୋନା ଟେଷ୍ଟ୍‌ କମ୍‌ ଦାମ ହେଲେ ଏହା ଦ୍ୱାରା ଲୋକେ ଉପକୃତ ହେବା ସହିତ ଅଧିକ ନମୁନା ପରୀକ୍ଷା କରାଯାଇ ପାରିବ । ଫଳରେ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସହଜ ହୋଇ ପାରିବ ବୋଲି ଆଇନଜୀବୀ ଅଜୟ ଅଗ୍ରଓ୍ବାଲାଙ୍କ ପକ୍ଷରୁ ହୋଇଥିବା ଆବେଦନରେ ଉଲ୍ଲେଖ କରାଯାଇଥିଲା। ଏନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ୨ ସପ୍ତାହ ମଧ୍ୟରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଜବାବ ତଲବ କରାଯାଇଛି। ସମ୍ପ୍ରତି ଆର୍‌ଟି-ପିସିଆର୍‌ କରୋନା ଟେଷ୍ଟ୍‌ ୯୦୦ରୁ ୨,୮୦୦ ଟଙ୍କା ମଧ୍ୟରେ କରାଯାଉଛି। ଆନ୍ଧ୍ରପ୍ରଦେଶରେ ଆର୍‌ଟି-ପିସିଆର୍‌ କରୋନା ଟେଷ୍ଟ୍‌ରେ ୧୪,୦୦ ପ୍ରତିଶତ ଲାଭ ରଖାଯାଉଥିବାବେଳେ ଦିଲ୍ଲୀରେ ବିକ୍ରେତା ୧,୨୦୦ ପ୍ରତିଶତ ଲାଭ କରୁଛନ୍ତିି। ଦେଶବ୍ୟାପି ସମାନ ଦାମରେ ଆର୍‌ଟି-ପିସିଆର୍‌ କରୋନା ଟେଷ୍ଟ୍‌ ପାଇଁ କରାଯାଇଥିବା ଏହି ଆବେଦନର ବିଚାର ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ, ବିଚାରପତି ଏ.ଏସ୍‌. ବୋପନ୍ନା ଏବଂ ଭି. ରାମସୁବ୍ରମଣିଆନ୍‌ଙ୍କ ଦ୍ୱାରାର ଗଠିତ ଖଣ୍ଡପୀଠରେ କରାଯାଉଛି। ଦେଶର ୧୩୫ କୋଟି ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉପଯୁକ୍ତ ଦାମ ନିର୍ଦ୍ଧାରଣ ପାଇଁ ଆବେଦନରେ ଦର୍ଶାଯାଇଛି।

Share