Categories: ଜାତୀୟ

କଂଗ୍ରେସକୁ ଆରଏସଏସ ଫୋବିଆ: ସିପି ଜୋଶୀ

ଜୟପୁର,୧୨।୫:ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଭାଜପା ଏବଂ ଆରଏସଏସକୁ ଫାସିବାଦୀ କହିଥିବା ବୟାନକୁ ରାଜସ୍ଥାନର ଭାଜପା ସଭାପତି ସିପି ଜୋଶୀ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ନେତାଙ୍କୁ ଆରଏସଏସ ଫୋବିଆ ହୋଇଛି ସେଥିପାଇଁ ଏପରି ବୟାନ ଦେଉଛନ୍ତି।
କଂଗ୍ରେସ ଆରଏସଏସକୁ ଭୟ କରୁଛି। ସେଥିପାଇଁ ଦଳର ନେତାମାନେ ଆରଏସଏସ ବିରୋଧରେ ଭିତ୍ତିହୀନ ଅଭିଯୋଗ କରୁଛନ୍ତି। ସଂଗଠନର କର୍ମକର୍ତ୍ତାମାନେ ସମାଜରେ କୌଣସି ଭେଦଭାବ ନ କରି ସୈନିକ ପରି ସମସ୍ତଙ୍କର ସେବା କରୁଥିବାବେଳେ କଂଗ୍ରେସ କେବଳ ଗୋଟିଏ ପରିବାର ପାଇଁ ଉତ୍ସର୍ଗୀକୃତ ହୋଇ ରହୁଛି। ଆତଙ୍କବାଦୀଙ୍କୁ ସମ୍ମାନ ଦେବା ଏବଂ ଦେଶପ୍ରେମୀଙ୍କୁ ଟାର୍ଗେଟ କରିବା ଯୋଗୁଁ କଂଗ୍ରେସ ପତନର କାରଣ ସାଜୁଛି ବୋଲି ସେ କହିଛନ୍ତି।
ଜୋଶୀ କହିଛନ୍ତି ଯେ, ଗେହଲଟ ନିଜକୁ ମେୱାରର ଗାନ୍ଧୀ ବୋଲି କହୁଛନ୍ତି। କିନ୍ତୁ ତାଙ୍କର ପୁରା ୫ବର୍ଷ କ୍ଷମତା ଯୁଦ୍ଧରେ ସରିଗଲା। ସେ ୨୦୨୩ ନିର୍ବାଚନରେ ପରାଜୟକୁ ଡରୁଛନ୍ତି, ତେଣୁ ଏଣୁତେଣୁ କହୁଛନ୍ତି ଯାହା ରାହୁଲ ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରିବ।

Share