Categories: ଜାତୀୟ

ଏଜୁକେଶନ ସିଷ୍ଟମର କଥା ଉଠାଇ ଇଂରେଜଙ୍କୁ ଟାର୍ଗେଟ କଲେ ଆରଏସଏସ ମୁଖ୍ୟ ଭାଗବତ

ଚଣ୍ଡିଗଡ଼,୬ ।୩: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସର ମୁଖ୍ୟ ମୋହନ ଭାଗବତ ରବିବାର ହରିୟାଣାର କରନାଲ ଗସ୍ତ କରିଥିଲେ । ସେ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଭାରତରେ ଇଂରେଜଙ୍କ ଶାସନ ହେବା ପୂର୍ବରୁ ଆମ ଦେଶର ଶିକ୍ଷା ବ୍ୟବସ୍ଥାରେ ୭୦ ପ୍ରତିଶତ ଜନତା ଶିକ୍ଷିତ ଥିଲେ ଓ ଏଠାରେ କେହି ବେକାରୀ ନ ଥିଲେ ।
ସେ କହିଛନ୍ତି, ସେହି ସମୟରେ ଇଂଲଣ୍ଡରେ କେବଳ ୧୭ ପ୍ରତିଶତ ଲୋକେ ଶିକ୍ଷିତ ଥିଲେ । ଇଂରେଜମାନେ ଭାରତ ଆସିବା ପରେ ଆମର ଶିକ୍ଷା ବ୍ୟବସ୍ଥା ଅର୍ଥାତ୍ ୭୦ ପ୍ରତିଶତ ଲୋକଙ୍କୁ ଶିକ୍ଷିତ ରଖିବାର ପଦ୍ଧତିକୁ କବାଡିଖାନାରେ ପକାଇଦେଲେ । ଆମର ଶିକ୍ଷା ବ୍ୟବସ୍ଥାକୁ ସେମାନେ ଏଠାରେ ଲାଗୁ କରାଇଲେ ଓ ତାଙ୍କ ଶିକ୍ଷା ବ୍ୟବସ୍ଥାକୁ ଭାରତକୁ ନେଇ ଆସିଲେ ।
ମୋହନ ଭାଗବତ କହିଛନ୍ତି, ଇଂରେଜଙ୍କ ଶିକ୍ଷା ବ୍ୟବସ୍ଥାରେ ଆମେ ୧୭ ପ୍ରତିଶତ ସାକ୍ଷର ରହିଗଲେ ଓ ସେମାନେ ୭୦ ପ୍ରତିଶତ ଶିକ୍ଷିତ ହୋଇଗଲେ । ଏହା ଇତିହାସର ସତ୍ୟ । ସେ କହିଛନ୍ତି ଆମର ଯେଉଁ ଶିକ୍ଷା ବ୍ୟବସ୍ଥା ଥିଲା, ସେଥିରେ ଶିକ୍ଷକ ଶିଖାଉଥିଲେ, ସମସ୍ତଙ୍କୁ ଶିକ୍ଷା ଦେଉଥିଲେ, ସେମାନଙ୍କ ମଧ୍ୟରେ ବର୍ଣ୍ଣ ଓ ଜାତିର ଭେଦଭାବ ନ ଥିଲା, ମଣିଷ ନିଜ ଜୀବନ ନିଜେ ବଞ୍ଚୁଥିଲା, ଏମିତିକି ଶିକ୍ଷା ସମସ୍ତଙ୍କୁ ମିଳୁଥିଲା । ସେ ଆହୁରି ମଧ୍ୟ କହିଛନ୍ତି, ଶିକ୍ଷକ ଗାଁକୁ ଯାଇ ଶିକ୍ଷାଦାନ କରୁଥିଲେ, ନିଜ ପେଟ ପୂରଣ କରିବାକୁ ଶିକ୍ଷା ଦେଉ ନ ଥିଲେ, କାରଣ ଶିକ୍ଷା ଦେବା ସେମାନଙ୍କର କାମ ଥିଲା, ଶିଖିବା ସେମାନଙ୍କ କର୍ତ୍ତବ୍ୟ ଓ ଧର୍ମ ଥିଲା ।
ଭାଗବତ ଆହୁରି ମଧ୍ୟ କହିଛନ୍ତି, ଏବେ ଆମ ଦେଶରେ ଏମିତି ପରିସ୍ଥିତି ହୋଇଯାଇଛି, ପ୍ରତ୍ୟେକ ବ୍ୟକ୍ତି ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । କାରଣ ଏହି ଦୁଇଟି ଏବେ ବହୁତ ମହଙ୍ଗା ଓ ଦୁର୍ଲଭ ହୋଇଯାଇଛି । ଏବେ ଏହି ଦୁଇଟି ଏକ ବ୍ୟବସାୟ ଭଳି ଚାଲୁଛି ଏହା ଜରୁରୀ ଯେ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତିଟି ନାଗରିକଙ୍କ ପାଖରେ ପହଞ୍ଚିବା ଦରକାର । ପୂର୍ବରୁ ଏହାକୁ ବ୍ୟବସାୟ ଭାବେ ଦେଖାଯାଉ ନ ଥିଲା ।

Share