Categories: ଜାତୀୟ

ଭେଟେନାରୀ ଅଫିସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ମୋହନ ଭାଗବତ: ଏପରି ଥିଲା ଆର୍‌ଏସ୍‌ଏସ୍‌ ମୁଖ୍ୟ ହେବାର ଯାତ୍ରା

ନୂଆଦିଲ୍ଲୀ,୧୧।୯: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)କୁ ବିଶ୍ୱର ସବୁଠାରୁ ବଡ଼ ସ୍ବୟଂସେବକ ସଂସ୍ଥା ବୋଲି କୁହାଯାଏ। ବର୍ତ୍ତମାନ ଆର୍‌ଏସ୍‌ଏସ୍‌ର ମୁଖ୍ୟ ଅଛନ୍ତି ମୋହନ ଭାଗବତ। ଆଜି ଅର୍ଥାତ ଶୁକ୍ରବାର ସେ ନିଜର ୭୦ତମ ଜନ୍ମଦିବସ ପାଳନ କରୁଛନ୍ତି। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ୧୯୫୦ ସେପ୍ଟେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ସେ। ୨୦୦୯ରେ ତାଙ୍କୁ ସଂଘର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା।

ତିନି ପିଢ଼ି ଧରି ଭାଗବତଙ୍କ ପରିବାର ଆରଏସ୍‌ଏସ୍‌ ସହ ଜଡ଼ିତ ରହିଆସିଛି। ଭାଗବତଙ୍କ ଜେଜେବାପା ଏବଂ ବାପାଙ୍କ ସହ ମା’ ମଧ୍ୟ ସଂଘର ସଦସ୍ୟ ରହିଥିଲେ। ଜେଜେବାପା ନାରାୟଣ ଭାଗବତ ସଂଘର ସଂସ୍ଥାପକ ଡା. କେଶବରାଓ ବଲିରାମ ହେଡଗେବାରଙ୍କ ସହପାଠୀ ଥିଲେ। ବାପା ମଧୁକର ଭାଗବତଙ୍କ ପରି ମୋହନଙ୍କ ପିଲାଦିନ ସଂଘର ଶାଖାରେ ବିତିଥିଲା। ସେ ଦ୍ୱାଦଶ ପଢ଼ା ଚନ୍ଦ୍ରପୁରରେ ଶେଷ କରିଥିଲେ। ଏହାପରେ ସେ ଡା. ପଞ୍ଜାବରାଓ ଦେଶମୁଖ ଭେଟେନାରୀ କଲେଜରୁ ଡିଗ୍ରୀ ହାସଲ କରିଥିଲେ। ଏହାପରେ ତାଙ୍କୁ ଚନ୍ଦ୍ରପୁରରେ ପଶୁ ବିଭାଗରେ ଭେଟେନାରୀ ଅଫିସର(ଭିଏସ୍‌) ଭାବେ ନିଯୁକ୍ତି ମିଳିଥିଲା।

ଭାରତରେ ଜରୁରିକାଳୀନ ପରିସ୍ଥିତି ଲାଗୁ ହେବାର କିଛି ଦିନ ପୂର୍ବରୁ ମୋହନ ସଂଘର ପ୍ରଚାରକ ହୋଇଥିଲେ। ସେତେବେଳେ ତାଙ୍କୁ ଅଣ୍ଡରଗ୍ରାଉଣ୍ଡ ହେବାକୁ ପଡ଼ିଥିଲା। ୯୦ ଦଶକ ଆର୍‌ଏସ୍‌ଏସ୍‌ ଏବଂ ପୁରା ଦେଶ ପାଇଁ ବହୁତ ଭଲ ରହିଥିଲା। ଏହି ସମୟରେ ରାମ ମନ୍ଦିର ଏବଂ କଶ୍ମୀର ପ୍ରସଙ୍ଗ ଉଠିଥିଲା। ସଂଘର ଶାଖାରେ ଏହି ବିଷୟକୁ ନେଇ ଆଲୋଚନା କରିବାରେ ଭାଗବତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

୨୦୦୦ରେ ସେ ସଂଘର ସହ ସଂଚାଳକ ନିଯୁକ୍ତ ହୋଇଥିଲେ। ପରେ ମାର୍ଚ୍ଚ ୨୦୦୯ରେ କେ.ଏସ୍‌. ସୁଦର୍ଶନଙ୍କ ପରେ ମୋହନ ଭାଗବତ ୬ଷ୍ଠ ଆର୍‌ଏସ୍‌ଏସ୍‌ ମୁଖ୍ୟ ଭାବେ ଚୟନ କରାଯାଇଥିଲା।

Share