ଘରୁ ମିଳିଲା ନଗଦ ୨ କୋଟି ଟଙ୍କା, ୨୦ ସୁନା ବିସ୍କୁଟ୍‌

ଭୁବନେଶ୍ୱର,୮।୪ (ବ୍ୟୁରୋ): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କ ନିକଟରୁ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେବାରେ ଲାଗିଛି। ଗୁରୁବାର ଭୁବନେଶ୍ୱର ଆଇଗିଣିଆଠାରେ ଥିବା ଟାଟା ଆରିଆନାସ୍ଥିତ ତାଙ୍କ ଘରୁ (ଫ୍ଲାଟ୍‌ ନଂ.୦୫୦୫) ନଗଦ ୨ କୋଟି ଟଙ୍କା, ୫୮୦ ଗ୍ରାମର ୨୦ଟି ସୁନା ବିସ୍କୁଟ୍‌, କଏନ, ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ତେବେ ଯାଞ୍ଚବେଳେ ଏତେ ପରିମାଣର ଟଙ୍କା ଓ ସୁନା ଦେଖି ଭିଜିଲାନ୍ସ ଅଧିକାରୀମାନେ ଚକିତ ହୋଇଯାଇଛନ୍ତି। ଏକକାଳୀନ ଗୋଟିଏ ସ୍ଥାନରୁ ଜବତ ଟଙ୍କା ମଧ୍ୟରେ ଏହା ସର୍ବାଧିକ ବୋଲି ଭିଜିଲାନ୍ସ କହିଛି। ଉକ୍ତ ଫ୍ଲାଟ୍‌ରେ କାର୍ତ୍ତିକଙ୍କ ଦ୍ୱିତୀୟ ସ୍ତ୍ରୀ କଳ୍ପନା ପ୍ରଧାନ ରହୁଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ତେବେ କାର୍ତ୍ତିକଙ୍କର ଦ୍ୱିତୀୟ ସ୍ତ୍ରୀ ରହିଥିବା ଜଣାପଡିବା ପରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, କାର୍ତ୍ତିକ ଭଞ୍ଜନଗରରେ ଦୀର୍ଘବର୍ଷ ହେଲା କାର୍ଯ୍ୟରତ ଅଛନ୍ତି। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଥିଲା। ବୁଧବାର ଗଞ୍ଜାମ ଜିଲା ଭଞ୍ଜନଗର ମାଇନର୍‌ ଇରିଗେଶନ କଲୋନୀସ୍ଥିତ ତାଙ୍କ ସରକାରୀ ବାସଭବନ, ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ୱର ଗ୍ରାମରେ ଥିବା ପୈତୃକ ଘର, ଭଞ୍ଜନଗରସ୍ଥିତ କାର୍ଯ୍ୟାଳୟ, ଭୁବନେଶ୍ୱର ଖଣ୍ଡଗିରି ଥାନା ଡୁମୁଡୁମାସ୍ଥିତ କସ୍ମୋପୋଲିସ୍‌ ରେସିଡେନ୍‌ସିରେ ଥିବା ୨ ବିଏଚ୍‌କେ ଫ୍ଲାଟ୍‌, ତୁସ୍ତି ରେସିଡେନ୍‌ସିରେ ଥିବା ୩ ବିଏଚ୍‌କେ ଫ୍ଲାଟ୍‌ ଓ ଜାଗମରାସ୍ଥିତ ଦୁଇ ମହଲା ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ତେବେ ଚଢ଼ାଉବେଳେ ଏସବୁ ସ୍ଥାନରୁ ନଗଦ ୨ ଲକ୍ଷ ୫୦ ହଜାର ୮୮୦ ଟଙ୍କା ମିଳିଥିଲା। ସେହିଭଳି ଖଲ୍ଲିକୋଟ ଲଙ୍ଗଳେଶ୍ୱରସ୍ଥିତ ପୈତୃକ ଘରର ମୂଲ୍ୟ ଆନୁମାନିକ ୨୮ ଲକ୍ଷ ଟଙ୍କାରେ ହିସାବ କରାଯାଇଥିବାବେଳେ ଭୁବନେଶ୍ୱର ଖଣ୍ଡଗିରି କସ୍ମୋପୋଲିସ୍‌ ରେସିଡେନ୍‌ସିର ୨ ବିଏଚ୍‌କେ ଫ୍ଲାଟ୍‌ର ମୂଲ୍ୟ ୩୩.୬୩ ଲକ୍ଷ, ତୁସ୍ତି ରେସିଡେନ୍‌ସିରେ ଥିବା ୩ ବିଏଚ୍‌କେ ଫ୍ଲାଟ୍‌କୁ ୪୦ ଲକ୍ଷ ଟଙ୍କା, ଜାଗମରାସ୍ଥିତ ଦୁଇ ମହଲା ଘରର ମୂଲ୍ୟ ୭୨ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। ଏଥିସହ ଗଞ୍ଜାମରେ ୫ଟି ଓ ଭୁବନେଶ୍ୱରରେ ୨ଟି ପ୍ଲଟ୍‌ ଠାବ ହୋଇଛି। ଯାଞ୍ଚରୁ ୩୭.୨୩ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍‌, ବ୍ୟାଙ୍କ ଓ ଇନ୍‌ସ୍ୟୁରାନ୍ସ ଡିପୋଜିଟ୍‌, ଘରେ ଥିବା ୧୭.୯୫ ଲକ୍ଷ ଟଙ୍କାର ସାମଗ୍ରୀ, ଗୋଟିଏ ୧୪ ଲକ୍ଷ ଟଙ୍କାର ଚାରି ଚକିଆ ଯାନ, ୨ଟି ବାଇକ୍‌ ଓ ୫.୭୨ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଆଦି ମିଳିଛି। ତେବେ ଯାଞ୍ଚ ଓ ହିସାବ ଜାରି ରହିଥିବାରୁ ଠାବ ହୋଇଥିବା ସମ୍ପତ୍ତିର ମୋଟ ମୂଲ୍ୟ ଓ ଆୟ ବହିର୍ଭୂତ ସମ୍ପତ୍ତି ପରିମାଣ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଏହି ଚଢ଼ାଉରେ ୫ଜଣ ଡିଏସ୍‌ପି, ୧୧ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଚଢ଼ାଉ ଜାରି ରହିଥିବାରୁ ଆହୁରି ସମ୍ପତ୍ତି ଠାବ ହେବ ବୋଲି ଭିଜିଲାନ୍ସ ଆଶା ରଖିଛି।