ନୂଆଦିଲ୍ଲୀ,୧୬।୯: ଆସାମ ସିଭିଲ ସର୍ଭିସ (ଏସିଏସ) ଅଫିସର ନୁପୁର ବୋରାଙ୍କୁ ସୋମବାର ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ଭିଜିଲାନ୍ସ ସେଲ ତାଙ୍କ ଗୁଆହାଟୀ ଘରୁ ୯୨ ଲକ୍ଷ ଟଙ୍କା ନଗଦ ଓ ପ୍ରାୟ ୧ କୋଟି ଟଙ୍କାର ଅଳଙ୍କାର ଜବତ କରିଛି। ଏହା ସହ ବରପେଟାରେ ତାଙ୍କ ଭଡା ଘରୁ ୧୦ ଲକ୍ଷ ଟଙ୍କା ନଗଦ ମିଳିଛି।
ନୁପୁର ବୋରା (ଜନ୍ମ: ୩୧ ମାର୍ଚ୍ଚ ୧୯୮୯, ଗୋଲାଘାଟ) ୨୦୧୯ରେ ଏସିଏସରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ କାମରୂପ ଜିଲାର ଗୋରୋଇମାରୀରେ ସର୍କଲ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ନୁପୁର ଗତ ଛଅ ମାସ ଧରି ନଜରବନ୍ଦୀରେ ଥିଲେ। ତାଙ୍କ ବିରୋଧରେ ବରପେଟାରେ ସର୍କଲ ଅଫିସର ଥାଉଥିବା ସମୟରେ ସନ୍ଦେହଜନକ ବ୍ୟକ୍ତିଙ୍କୁ ହିନ୍ଦୁ ଜମି ହସ୍ତାନ୍ତର କରି ଟଙ୍କା ନେଇଥିବା ଅଭିଯୋଗ ରହିଛି।
ନୁପୁରଙ୍କ ଆୟଠାରୁ ଅଧିକ ସମ୍ପତ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ଗୁଆହାଟୀ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକ ଓ କଟନ କଲେଜରେ ପାଠ ପଢ଼ିଥିଲେ। ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ସେ କର୍ବି ଆଙ୍ଗଲଙ୍ଗରେ ସହକାରୀ କମିଶନର ଓ ପରେ ବରପେଟାରେ ସର୍କଲ ଅଫିସର ଭାବେ କାର୍ଯ୍ୟ କରିଥିଲେ।
ଭିଜିଲାନ୍ସ ସେଲ ନୁପୁରଙ୍କ ସହଯୋଗୀ ସୁରଜିତ ଦେକାଙ୍କ ବରପେଟା ଘରେ ମଧ୍ୟ ଚଢ଼ାଉ କରିଛି। ସୁରଜିତ ବରପେଟା ରାଜସ୍ୱ ସର୍କଲ ଅଫିସରେ ଲାଟ ମଣ୍ଡଳ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ନୁପୁରଙ୍କ ସହାୟତାରେ ବରପେଟାରେ ଏକାଧିକ ଜମି କିଣିଥିବା ଅଭିଯୋଗ ରହିଛି।
ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି, ଅଳ୍ପସଂଖ୍ୟକ ଅଧ୍ୟୁଷିତ ଅଞ୍ଚଳର ରାଜସ୍ୱ ସର୍କଲଗୁଡ଼ିକରେ ଦୁର୍ନୀତି ବ୍ୟାପିଛି। ଏହି ମାମଲାର ତଦନ୍ତ ଜାରି ରହିଛି।


