ଆର୍‌ଏସ୍‌ଏସ୍‌ ନେତାଙ୍କ ସମ୍ପର୍କୀୟ ପରିଚୟ ଦେଇ ୨.୪୧ କୋଟି ଠକେଇ

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ନିଜକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଜଣେ ବରିଷ୍ଠ ଅଧିକାରୀ ଏବଂ ପୂର୍ବତନ ଉପରାଷ୍ଟ୍ରପତିଙ୍କ ସମ୍ପର୍କୀୟ ପରିଚୟ ଦେଇ ହରିୟାଣାର କେତେଜଣ ନିଯୁକ୍ତି ଆଶାୟୀଙ୍କଠାରୁ ୨.୪୧ କୋଟି ଟଙ୍କା ଠକିନେବା ଅଭିଯୋଗରେ ୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ପାନିପତର ଜଣେ ବାସିନ୍ଦାଙ୍କ ଅଭିଯୋଗ କ୍ରମେ ସିବିଆଇ ୫ ଜଣଙ୍କ ନାମରେ ଏତଲା ଦାଏର କରି ତଦନ୍ତ ଚଳାଇଛି। ଅଭିଯୋଗ ଅନୁଯାୟୀ ଭିଓ୍ବାନି ଜିଲାର କ୍ରିଷନ ତାଙ୍କ ଭାଇ କପିଲ ଓ ହାନ୍‌ସି ଜିଲାର ସୁନିଲ, ରାଜିନ୍ଦର ବୈରାଗୀ ଓ ହରପାଲ ପୁନିଆଙ୍କ ସହ ମିଶି ସରକାରୀ ଚାକିରି ଦେବା ନାମରେ ଗ୍ରାମର ଯୁବକମାନଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ। ବୈରାଗୀ ଏକ ଅଫିସ ଖୋଲିଥିବାବେଳେ କ୍ରିଷନଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ବୋଲି କହୁଥିଲେ। କ୍ରିଷନ ନିଜକୁ ଆର୍‌ଏସ୍‌ଏସ୍‌ର ଜଣେ ବରିଷ୍ଠ ନେତାଙ୍କ ଭାଇ ବୋଲି ପରିଚୟ ଦେବା ସହ ତାଙ୍କ ପରିବାରର ରାଜନୈତିକ ସମ୍ପୃକ୍ତି ଯୋଗୁ ବିଶ୍ୱବିଦ୍ୟାଳୟ, କୋର୍ଟ, ରାଜ୍ୟ ବିଧାନସଭା ଓ ଭାରତୀୟ ଖାଦ୍ୟ ନିଗମରେ ପ୍ରଭାବ ଥିବା କହିଥିଲେ। କପିଲ ନିଜକୁ ଜଣେ ସିବିଆଇ ଇନ୍ସପେକ୍ଟର ଏବଂ ପୂର୍ବତନ ଉପରାଷ୍ଟ୍ରପତିଙ୍କ ଭଣଜା ପରିଚୟ ଦେଇଥିଲେ। ସେ ଜାଲ୍‌ ସିବିଆଇ ପରିଚୟପତ୍ର ଦେଖାଇ ଲୋକଙ୍କୁ ଠକୁଥିଲେ। ଖାଦ୍ୟ ନିଗମରେ ସୁପରଭାଇଜର ପଦବୀ ପାଇଁ ସେମାନେ ୧୪ ଲକ୍ଷ ଟଙ୍କା ଦାବି କରିବା ସହ କିରାଣି ଚାକିରି ପାଇଁ ୧୨ ଲକ୍ଷ ଓ ପିଅନ ପଦବୀ ପାଇଁ ୮ ଲକ୍ଷ ମାଗୁଥିଲେ ବୋଲି ଏତଲାରେ ଦର୍ଶାଯାଇଛି।

Dharitri – Odisha’s No.1 Odia Daily

Share
Tags: RSS leader