୫ଶହ ଟଙ୍କା ଭତ୍ତା ପାଇଁ ଦେଢ଼ଶହ ଟଙ୍କା ରିକ୍ସାଭଡ଼ା

ଲୋଇସିଂହା,୧୦ା୫(ଡି.ଏନ.ଏ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର ପଞ୍ଚାୟତ ନୂଆପଡାର ଜଣେ ବୃଦ୍ଧା ୫ ଶହ ଟଙ୍କ ଭତ୍ତା ପାଇଁ ୧୫୦ ଟଙ୍କା ରିକ୍ସା ଭଡା କରିବା ଏଠାରେ ଆଲୋଚନାର ବିଷୟ ହୋଇଛି। ଲୋଇସିଂହା ପଞ୍ଚାୟତ ସଦର ଗ୍ରାମ ନୂଆପଡାର ବିଧବା ମଥୁରା ମେହେର(୯୫)। ବୟସାଧିକ ଯୋଗୁ ଠିକ୍‌ଭାବେ କହି ପାରୁନାହାନ୍ତି କି ଶୁଣି ପାରୁନାହାନ୍ତି। ଦୃଷ୍ଟିଶକ୍ତି କ୍ଷୀଣ ହୋଇ ଗଲାଣି। ଅନ୍ୟର ସାହାରରେ ଜୀବନ ବିତୁଛି। ଏବେ ବ୍ୟାଙ୍କ ଆକଉଣ୍ଟରେ ଅନଲାଇନରେ ଭତ୍ତା ଟଙ୍କା ପ୍ରଦାନ କରାଯାଉଛି। ହିତାଧିକାରୀଙ୍କୁ ନ ଦେଖିଲେ ବ୍ୟାଙ୍କ କର୍ମଚାରୀ ଟଙ୍କା ଦେଉନାହାନ୍ତି। ମଙ୍ଗଳବାର ପୁଅ ପ୍ରବୀର ସହ ମଥୁରା ଏକ ରିକ୍ସାରେ ସ୍ଥାନୀୟ ଇଣ୍ଡିଆନ ବ୍ୟାଙ୍କକୁ ଭତ୍ତା ଟଙ୍କା ନେବାକୁ ଆସିଥିଲେ। ପାହାଚ ଚଢି ବ୍ୟାଙ୍କ ଭିରତକୁ ଯାଇ ନ ପାରିବାରୁ ରିକ୍ସାରେ ବସି ରହିଥିଲେ ମଥୁରା  ପୁଅ ବ୍ୟାଙ୍କରୁ ଏକ ଟଙ୍କା ଉଠାଣ ଭାଉଚର ଆଣି ମଥୁରାଙ୍କ ଟିପ ଚିହ୍ନ ନେଇ ଟଙ୍କା ଉଠାଣ କରିଥିଲେ। ଅପରପକ୍ଷେ ରିକ୍ସାଭଡା ୧୫୦ ଟଙ୍କା ଯୋଗୁ ପ୍ରତିମାସ ବ୍ୟାଙ୍କକୁ ଆସି ଭତ୍ତା ଟଙ୍କା ନେବା ସମ୍ଭବ ହେଉନାହିଁ। ପ୍ରତି ୩ରୁ ୪ ମାସରେ ଥରେ ବ୍ୟାଙ୍କକୁ ଆସି ମା’ଙ୍କ ଭତ୍ତା ଟଙ୍କା ଉଠାଣ କରୁଥିବା ପ୍ରବୀର କହିଛନ୍ତି। ୮୦ ବର୍ଷର ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ୮ ଶହ ଟଙ୍କା ଭତ୍ତା ପ୍ରଦାନ କରାଯାଉଛି। ଏଠାରେ ୯୫ ବର୍ଷ ବୟସ୍କା ମଥୁରାଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ତାଙ୍କୁ ୮ଶହ ବଦଳରେ ୫ଶହ ମିଳୁଛି। ଏଥିପ୍ରତି ବ୍ଲକ ପ୍ରଶାସନ ଓ ସମାଜିକ ସୁରକ୍ଷା ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।