ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ସୋମବାର ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୬୫ ହଜାର ଟଙ୍କା ଜବତ କରିଛି। ଏନେଇ ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି ସୂଚନା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ବେତିରା ଗ୍ରାମର ଦୀପରଞ୍ଜନ ପାଢ଼ୀ ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଏକ ଗ୍ରୋସରୀ ଦୋକାନ କରିଛନ୍ତି। ଗତ ରବିବାର ରାତିରେ ଜଳକଳଙ୍ଗ ଗ୍ରାମର ସଞ୍ଜୟ ସେଠୀ (୨୪) ଦୋକାନର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେଠାରେ ଶୋଇଥିବା ସେଲ୍ସମ୍ୟାନ୍ଙ୍କୁ ଛୁରି ଦେଖାଇ ଭୟଭୀତ କରିବା ପରେ କ୍ୟାସ୍ ଡ୍ରୟରରୁ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ।
ଏନେଇ ଦୋକାନ ମାଲିକ ଦୀପରଞ୍ଜନ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ନଂ ୩୭୬/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ସଞ୍ଜୟଙ୍କୁ ହାଟଡିହୀ ଅଞ୍ଚଳରୁ ଧରି ପଚରାଉଚରା କରିବା ସହ ତାଙ୍କ ନିକଟରୁ ୬୫ ହଜାର ଟଙ୍କା ଜବତ କରିଥିଲା।
ଏହି ଲୁଟ୍ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି। ସୋମବାର ଅପରାହ୍ନରେ ଅଭିଯୁକ୍ତ ସଞ୍ଜୟଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି।