ରିଲିଜ ନ ହେଉଣୁ ୧୮ କୋଟି କ୍ଷତି

ମୁମ୍ବାଇ,୪।୧: ବିଗ୍‌ ବଜେଟ ତେଲୁଗୁ ଫିଲ୍ମ ‘ଆର୍‌ଆର୍‌ଆର୍‌’ ରିଲିଜ ହେବା ପୂର୍ବରୁ ୧୮ରୁ ୨୦ କୋଟି ଟଙ୍କା କ୍ଷତି ହୋଇଛି। ଏସ୍‌ ଏସ୍‌ ରାଜମୌଲିଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମରେ ଜୁନିୟର ଏନ୍‌ଟିଆର, ରାମ ଚରଣ, ଆଲିଆ ଭଟ ଓ ଅଜୟ ଦେବଗନ ପ୍ରମୁଖ ଭୂମିକାରେ ରହିଛନ୍ତି। ଏହି ଫିଲ୍ମ ପ୍ରଥମେ ଜାନୁୟାରୀ ୭ ତାରିଖରେ ରିଲିଜ ହେବାର ଥିଲା। କିନ୍ତୁ କୋଭିଡ୍‌-୧୯ର ଓମିକ୍ରନ ଭାରିଆଣ୍ଟର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ପୂରା ଦେଶରେ ସିନେମା ହଲ ଏବଂ ଥିଏଟର ପୁଣି ଥରେ ବନ୍ଦ ହେବା ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ଫିଲ୍ମର ରିଲିଜ ତାରିଖକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ବଲିଉଡ୍‌ ହଙ୍ଗମାର ଏକ ରିପୋର୍ଟ ମୁତାବକ, ନିର୍ଦ୍ଦେଶକ ରାଜମୌଲି ଧାର୍ଯ୍ୟ ତାରିଖରେ ହିଁ ଫିଲ୍ମ ରିଲିଜ କରିବାକୁ ଚାହୁଁଥିଲେ। ଏହି ବିଗ୍‌ ବଜେଟ୍‌ ପ୍ରୋଜେକ୍ଟ ସହ ଜଡ଼ିତ ଅଭିନେତା, ପ୍ରଡ୍ୟୁସର ମଧ୍ୟ ସେଥିରେ ଏକମତ ଥିଲେ। ଏଣୁ ପୂରା ଦମରେ ଫିଲ୍ମର ପ୍ରମୋଶନ କରାଯାଇଥିଲା। ନିକଟରେ ଦୁଇ ଅଭିନେତାଙ୍କୁ ବିଗ୍‌ ବସ୍‌ (ଉଭୟ ତେଲୁଗୁ ଓ ହିନ୍ଦୀ), ଦ କପିଲ ଶର୍ମା ଶୋ ଭଳି ଅନେକ ଶୋ’ରେ ଦେଖିବାକୁ ମିଳିଥିଲା। ଆନ୍ଧ୍ର ବାହାରେ ଦୁଇ ଅଭିନେତାଙ୍କ ଫ୍ୟାନ ଫଲୋଇଂ ନ ଥିବାରୁ ଫିଲ୍ମର ପ୍ରମୋଶନ ପାଇଁ ସେମାନଙ୍କ ଫ୍ୟାନଙ୍କୁ ବାହାର ରାଜ୍ୟକୁ ନିଆଯାଇ ହୋଟେଲରେ ରଖାଯାଇଥିଲା। ଏହାକୁ ମିଶାଇ ମୋଟ ଉପରେ ପ୍ରମୋଶନରେ ୧୮ରୁ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ମାତ୍ର ସବୁ ପ୍ରସ୍ତୁତିରେ ପାଣି ପୂରାଇ ଦେଇଛି କୋଭିଡ୍‌-୧୯। ରିଲିଜର ତାରିଖ ଘୁଞ୍ଚା ଯାଇଥିବାରୁ ପ୍ରମୋଶନର କିଛି ଫାଇଦା ଫିଲ୍ମକୁ ମିଳିବ ନାହିଁ।

Share