ନୂଆଦିଲ୍ଲୀ,୨୯ା୧୨: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ରେଳବାଇ ନିଯୁକ୍ତି ବୋର୍ଡ (RRB) ପକ୍ଷରୁ ‘ଲେଭଲ-୧’ର ପ୍ରାୟ ୨୨,୦୦୦ ପଦବୀ ପାଇଁ ଏକ ସଂକ୍ଷିପ୍ତି ବିଜ୍ଞପ୍ତି ଜାରି କରାଯାଇଛି। ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରିପାରିବେ।
ନିଯୁକ୍ତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ:
ମୋଟ ପଦବୀ: ପାଖାପାଖି ୨୨,୦୦୦।
ଆବେଦନ ତାରିଖ: ଆସନ୍ତା ୨୧ ଜାନୁଆରୀ ୨୦୨୫ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୦ ଫେବୃଆରୀ ୨୦୨୫ (ରାତି ୧୧:୫୯) ପର୍ଯ୍ୟନ୍ତ ଚାଲିବ।
ବେତନ: ସପ୍ତମ ବେତନ କମିଶନ ଅନୁଯାୟୀ ରହିବ।
ଆବେଦନ ୱେବସାଇଟ୍: ପ୍ରାର୍ଥୀମାନେ rrbapply.gov.in ପୋର୍ଟାଲ୍ ମାଧ୍ୟମରେ ଫର୍ମ ପୂରଣ କରିପାରିବେ।
ଯୋଗ୍ୟତା ଓ ବୟସ ସୀମା:
ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିବା ସହ ଆଇଟିଆଇ (ITI) ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ। ବିସ୍ତୃତ ସୂଚନା ପରବର୍ତ୍ତୀ ସମୟରେ ମୁଖ୍ୟ ବିଜ୍ଞପ୍ତିରେ ପ୍ରକାଶ ପାଇବ।
ବୟସ ସୀମା: ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୩୩ ବର୍ଷ ନିର୍ଦ୍ଧାରଣ କରାଯାଇଛି।
ରେଳବାଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଆବେଦନ ସମୟରେ ଆଧାର କାର୍ଡ ଅପଡେଟ୍ ରହିବା ଆବଶ୍ୟକ। ଆଧାର କାର୍ଡରେ ଥିବା ପ୍ରାର୍ଥୀଙ୍କ ନାମ ଏବଂ ଜନ୍ମ ତାରିଖ ଦଶମ ଶ୍ରେଣୀ ପ୍ରମାଣପତ୍ର ସହିତ ୧୦୦ ପ୍ରତିଶତ ମେଳ ଖାଉଥିବା ଜରୁରୀ।
ପ୍ରାର୍ଥୀମାନଙ୍କୁ ସୂଚନା ଦେବା ପାଇଁ ଏହି ସଂକ୍ଷିପ୍ତ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଖୁବଶୀଘ୍ର RRB ର ଆଧିକାରିକ ୱେବସାଇଟ୍ରେ ସମ୍ପୂର୍ଣ୍ଣ ବିବରଣୀ ସହ ‘ଡିଟେଲ୍ଡ ନୋଟିଫିକେସନ୍’ ଅପଲୋଡ୍ କରାଯିବ।


