Categories: ଜାତୀୟ

ଦୀପାବଳିରେ ଯୁବପିଢିଙ୍କୁ ବଡ଼ ଉପହାର ଦେବେ ମୋଦି

ନୂଆଦିଲ୍ଲୀ,୨୦।୨୨: ଦୀପାବଳି ପୂର୍ବରୁ ଯୁବପିଢିଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅକ୍ଟୋବର ୨୨ରେ ଅର୍ଥାତ୍‌ ଧନ୍ତରେସ୍‌ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଏକ ରୋଜଗାର ମେଳା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ରୋଜଗାର ମେଳା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୭୫,୦୦୦ ଯୁବତୀଯୁବକ ନିଯୁକ୍ତି ପାଇବେ। ଏହି ୭୫,୦୦୦ ଲୋକଙ୍କୁ ନିଯୁକ୍ତି ପତ୍ର ହସ୍ତାନ୍ତର କରାଯିବ। ପ୍ରଧାନମନ୍ତ୍ରୀ ନିଯୁକ୍ତ ଲୋକଙ୍କୁ ମଧ୍ୟ ସମ୍ବୋଧିତ କରିବେ।
ନିଯୁକ୍ତ ହୋଇଥିବା ୭୫,୦୦୦ ଯୁବତୀଯୁବକ ୩୮ଟି ମନ୍ତ୍ରଣାଳୟ ଏବଂ ସରକାରଙ୍କ ବିଭାଗରେ ଯୋଗଦେବେ। ଏହି ନିଯୁକ୍ତ ବ୍ୟକ୍ତିମାନେ ଗ୍ରୁପ ଏ, ଗ୍ରୁପ ବି (ଗେଜେଟେଡ), ଗ୍ରୁପ ବି (ଅଣ-ଗେଜେଟେଡ) ଏବଂ ଗ୍ରୁପ ସି ସ୍ତରରେ ଯୋଗଦେବେ। ଏହି ପଦବୀଗୁଡ଼ିକରେ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ପର୍ସନାଲ, ସବ-ଇନ୍ସପେକ୍ଟର, କନଷ୍ଟେବଳ, ଏଲ୍‌ଡିସି, ଷ୍ଟେନୋ ପିଏ, ଇନକମ ଟ୍ୟାକ୍ସ ଇନ୍ସପେକ୍ଟର, ଏମ୍‌ଟିଏସ୍‌ ଭଳି ପୋଷ୍ଟ ସାମିଲ ଅଛି।
ଯୁବକମାନଙ୍କୁ ରୋଜଗାରର ସୁଯୋଗ ଯୋଗାଇବା ଏବଂ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ମିଶନ ମୋଡରେ ଅନୁମୋଦିତ ଖାଲି ପଦବୀ ପୂରଣ ଦିଗରେ କାର୍ଯ୍ୟ କରୁଛନ୍ତି।
ଜୁନ ୧୪, ୨୦୨୨ରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ସୂଚନା ଦେଇଥିଲେ ଯେ, ଆସନ୍ତା ଦେଢ ଼ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୩ ଶେଷ ସୁଦ୍ଧା କେନ୍ଦ୍ର ସରକାର ଏହାର ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବେ। ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟରେ ମାନବ ସମ୍ବଳ ସ୍ଥିତି ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି।

 

Share