ଦୂଷିତ ପାଣି ପିଇ ରୟାଲ ନେଭିର ନାବିକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି…

ଲଣ୍ଡନ,୪।୨ : ବ୍ରିଟେନର ରୟାଲ ନେଭିର ନାବିକମାନଙ୍କୁ ସେମାନଙ୍କ ଜାହାଜରେ ପାନୀୟ ଜଳ ସମସ୍ୟା ହେବା ପରେ ଦକ୍ଷିଣ ପୂର୍ବ ଇଂଲଣ୍ଡର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରୟାଲ ନେଭି ନିଶ୍ଚିତ କରିଛି ଯେ ଏହାର ଫ୍ରିଗେଟ ଏଚଏମଏସ ପୋର୍ଟଲ୍ୟାଣ୍ଡ ସତର୍କତାର ସହିତ ପୋର୍ଟସମାଉଥ ନାଭାଲ ବେସକୁ ଫେରିଛି ଏବଂ ଅନ୍ୟ ଏକ ଜାହାଜ ଏଚଏମଏସ ରିଚମଣ୍ଡକୁ କୌଣସି ଜରୁରୀକାଳୀନ ପରିସ୍ଥିତିରେ କାର୍ଯ୍ୟ ପାଇଁ ତଥା ନାବିକଙ୍କୁ ଆଣିବାକୁ ମୁତୟନ କରାଯାଇଛି।
ଦେଶର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାହାଜକୁ ମଧୁର ଜଳ ଯୋଗାଣରେ ତ୍ରୁଟି ଯୋଗୁ ଏଭଳି ଘଟିଛି। ଦୂଷିତ ପାଣି ପିଇ ରୟାଲ ନେଭିର ନାବିକ ଅସୁସ୍ଥ ହୋଇ ପଡ଼ିଥିଲେ।

ରୟାଲ ନେଭିର ମୁଖପାତ୍ର କହିଛନ୍ତି ଯେ ଆମର କର୍ମଚାରୀଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜାହାଜର ନାବିକଙ୍କୁ ସୁରକ୍ଷା ଦେବା ପାଇଁ ଆମେ ଅନେକ ପଦକ୍ଷେପ ନେଉଛୁ ବୋଲି ମୁଖପାତ୍ର କହିଛନ୍ତି। ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ। କର୍ମଚାରୀମାନଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଡେଲି ଟେଲିଗ୍ରାଫ ସୂତ୍ରରୁ ପ୍ରକାଶ ଯେ ଭୁଲ ରାସାୟନିକ ପାଣିରେ ପକାଯିବା ପରେ ଏହି ଘଟଣା ଘଟିଛି। ସଫେଇ ପ୍ରଣାଳୀରୁ ଜଳ ଯୋଗାଣ ଭୁଲ ଭାବରେ କରାଯାଉଥିଲା ବୋଲି ଅନୁମାନ କରାଯାଉଛି। ଖବରକାଗଜକୁ ସୂତ୍ରରୁ ପ୍ରକାଶ ଯେ ଏଭଳି ଭୁଲ କରିଥିବା ବ୍ୟକ୍ତି ଏନେଇ ତାଙ୍କ ଅଧିକାରୀଙ୍କୁ ଜଣାଇଥିଲେ। ଘଟଣାଟି ଦୁର୍ଭାଗ୍ୟଜନକ, କିନ୍ତୁ ତାଙ୍କର ସଚ୍ଚୋଟତାକୁ ପ୍ରଶଂସା କରିବା ଜରୁରୀ ବୋଲି ଖବରକାଗଜ କହିଛି।

Share