ରୟାଲ୍ ଏନଫିଲ୍ଡର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ‘Flying Flea C6’ ଲଞ୍ଚ୍: ଜାଣନ୍ତୁ ଦମଦାର୍ ଫିଚର୍ସ-ମୂଲ୍ୟ

ନୂଆଦିଲ୍ଲୀ,୧୯।୬: ଭାରତୀୟ ବାଇକ୍ ନିର୍ମାତା କମ୍ପାନୀ ରୟାଲ୍ ଏନଫିଲ୍ଡର ନୂଆ ଇଲେକ୍ଟ୍ରିକ୍ ବ୍ରାଣ୍ଡ୍ ‘Flying Flea’ ଏହାର ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲ୍ Flying Flea C6 ର ଡେଲିଭରି ଆରମ୍ଭ କରିଦେଇଛି । ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ଏହାର ଡେଲିଭରି ବେଙ୍ଗାଲୁରୁରେ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଏହାକୁ ପର୍ଯ୍ୟାୟକ୍ରମେ ଦେଶର ଅନ୍ୟାନ୍ୟ ସହରଗୁଡ଼ିକରେ ଉପଲବ୍ଧ କରାଯିବ । କମ୍ପାନୀ ବିଶେଷ କରି ସହରାଞ୍ଚଳର ଗ୍ରାହକମାନଙ୍କୁ ଦୃଷ୍ଟିରେ ରଖି ଏହି ଇଲେକ୍ଟ୍ରିକ୍ ବାଇକ୍‌କୁ ପ୍ରସ୍ତୁତ କରିଛି । ଗ୍ରାହକମାନଙ୍କୁ ଯେପରି ବିକ୍ରି ଏବଂ ସର୍ଭିସ୍ କ୍ଷେତ୍ରରେ ସର୍ବୋତ୍ତମ ଅନୁଭୂତି ମିଳିପାରିବ, ସେଥିପାଇଁ କମ୍ପାନୀ ଏହାକୁ ‘ସିଟି-ବାଇ-ସିଟି’  ରଣନୀତି ଅନୁଯାୟୀ ବଜାରକୁ ଆଣୁଛି ।

ଏହି ନୂଆ Flying Flea C6 ବାଇକ୍‌କୁ ଦୁଇଟି ଆକର୍ଷଣୀୟ କଲର୍ ଅପ୍ସନରେ ଉପଲବ୍ଧ କରାଯାଇଛି, ଗ୍ରାହକ ଏହାକୁ ଷ୍ଟର୍ମ ବ୍ଲାକ୍ ଏବଂ ଫ୍ଲି ଗ୍ରୀନ୍ରଙ୍ଗରେ କିଣିପାରିବେ । ବାଇକ୍‌ର ଡିଜାଇନ୍ ଯେତିକି ଆଧୁନିକ, ଏଥିରେ ସେତିକି ରେଟ୍ରୋ ଷ୍ଟାଇଲ୍‌ର ଝଲକ୍ ମଧ୍ୟ ଦେଖିବାକୁ ମିଳୁଛି, ଯାହାକି ରୟାଲ୍ ଏନଫିଲ୍ଡର ପାରମ୍ପରିକ ଚିହ୍ନ ଅଟେ ।

ବାଇକ୍‌ର ମୂଲ୍ୟ ଓ ବିଶେଷ ସବ୍‌ସ୍କ୍ରିପସନ୍ ଅଫର୍:
ମୂଲ୍ୟ ବିଷୟରେ କହିବାକୁ ଗଲେ, Flying Flea C6 ର ଏକ୍ସ-ଶୋ’ରୁମ୍ ମୂଲ୍ୟ ୨.୭୯ ଲକ୍ଷ ଟଙ୍କା ରଖାଯାଇଛି । ତେବେ କମ୍ପାନୀ ଗ୍ରାହକଙ୍କ ପାଇଁ ଆଉ ଏକ ବଡ଼ ଏବଂ ସହଜ ବିକଳ୍ପ ମଧ୍ୟ ଦେଇଛି ।

ଯଦି ଗ୍ରାହକ ବ୍ୟାଟେରୀକୁ ସମ୍ପୂର୍ଣ୍ଣ ଭାବେ ନକିଣି ଏକ ସବ୍‌ସ୍କ୍ରିପସନ୍ ମଡେଲ୍ ଚୟନ କରନ୍ତି, ତେବେ ବାଇକ୍‌ର ପ୍ରାରମ୍ଭିକ ମୂଲ୍ୟ ହ୍ରାସ ପାଇ ୧.୯୯ ଲକ୍ଷ ଟଙ୍କା ହୋଇଯିବ । ଏହି ମଡେଲ୍‌କୁ ବ୍ୟାଟେରୀ-ଏଜ୍-ଏ-ସର୍ଭିସ୍ (BaaS) କୁହାଯାଉଛି, ଯେଉଁଥିରେ ଗ୍ରାହକ କେବଳ ବ୍ୟାଟେରୀର ଭଡ଼ା ବା ସଦସ୍ୟତା ଶୁଳ୍କ (Subscription fee) ଦେଇ ବାଇକ୍‌ଟିକୁ ନିଜର କରିପାରିବେ ।

ସର୍ଭିସ୍ ନେଟୱର୍କର ସମ୍ପ୍ରସାରଣ: “ହବ୍ ଆଣ୍ଡ୍ ସ୍ପୋକ୍” ମଡେଲ୍
Flying Flea C6 ର ଲଞ୍ଚିଂ ସହିତ କମ୍ପାନୀ ଗ୍ରାହକଙ୍କ ସୁବିଧା ପାଇଁ ଏକ ନୂଆ ସର୍ଭିସ୍ ନେଟୱର୍କ ମଧ୍ୟ ପ୍ରସ୍ତୁତ କରିଛି । ବେଙ୍ଗାଲୁରୁରେ “ହବ୍ ଆଣ୍ଡ୍ ସ୍ପୋକ୍” ମଡେଲ୍ ଅଧୀନରେ ଏହାର ସର୍ଭିସ୍ ବ୍ୟବସ୍ଥା କରାଯାଇଛି ।

ମୁଖ୍ୟ ସର୍ଭିସ୍ ହବ୍: ବେଙ୍ଗାଲୁରୁର BTM ଲେଆଉଟ୍‌ (BTM Layout) ରେ ଏକ ପ୍ରମୁଖ ସର୍ଭିସ୍ ହବ୍ ପ୍ରତିଷ୍ଠା କରାଯାଇଛି, ଯେଉଁଠାରେ ଇଲେକ୍ଟ୍ରିକ୍ ବାଇକ୍ ସହ ଜଡ଼ିତ ସମସ୍ତ ବୈଷୟିକ ଏବଂ ଜଟିଳ ସମସ୍ୟାର ସମାଧାନ କରାଯିବ ।

ସ୍ପୋକ୍ ସେଣ୍ଟର୍ସ: ସହରର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ସର୍ଭିସ୍ ସେଣ୍ଟର୍ ବା ସ୍ପୋକ୍ ସେଣ୍ଟର୍ ତିଆରି କରାଯାଇଛି । ଏହି ସେଣ୍ଟରଗୁଡ଼ିକ ନିୟମିତ ସର୍ଭିସିଂ, ମେଣ୍ଟେନାନ୍ସ ଏବଂ ସାଧାରଣ ମରାମତି କାମ ବୁଝିବେ, ଯାହା ଦ୍ୱାରା ଗ୍ରାହକଙ୍କୁ ତୁରନ୍ତ ସେବା ମିଳିପାରିବ ।

ଗ୍ରାହକଙ୍କୁ ମିଳିବ ‘ଶପ୍-ଇନ୍-ଶପ୍’ ଓ 24×7 ରୋଡ୍‌ସାଇଡ୍ ଆସିଷ୍ଟାନ୍ସ ସୁବିଧା:
ନିଜର ନେଟୱର୍କକୁ ଶୀଘ୍ର ବିସ୍ତାର କରିବା ପାଇଁ କମ୍ପାନୀ ରୟାଲ୍ ଏନଫିଲ୍ଡର ବର୍ତ୍ତମାନର ଶୋ’ରୁମ୍ ଏବଂ ସର୍ଭିସ୍ ସେଣ୍ଟରଗୁଡ଼ିକର ମଧ୍ୟ ବ୍ୟବହାର କରୁଛି । ଏଥିପାଇଁ “ଶପ୍-ଇନ୍-ଶପ୍” ମଡେଲ୍ ଆପଣାଯାଇଛି, ଯାହା ଅନୁଯାୟୀ ରୟାଲ୍ ଏନଫିଲ୍ଡର କିଛି ଚୟନକୃତ ଶୋ’ରୁମ୍ ଭିତରେ ହିଁ ‘Flying Flea’ ବ୍ରାଣ୍ଡ୍ ପାଇଁ ଏକ ସ୍ୱତନ୍ତ୍ର ସେକ୍ସନ କରାଯିବ । ଏହା ଦ୍ୱାରା କମ୍ପାନୀକୁ ନୂଆ ଶୋ’ରୁମ୍ ଖୋଲିବାକୁ ପଡ଼ିବ ନାହିଁ ଏବଂ ଗ୍ରାହକଙ୍କ ପାଖରେ ଖୁବ୍ଶୀଘ୍ର ପହଞ୍ଚି ହେବ ।

ଏହା ସହିତ, Flying Flea C6 କିଣୁଥିବା ଗ୍ରାହକମାନଙ୍କୁ 24×7 ରୋଡ୍‌ସାଇଡ୍ ଆସିଷ୍ଟାନ୍ସ ସୁବିଧା ମଧ୍ୟ ଦିଆଯିବ । ଅର୍ଥାତ୍ ଯାତ୍ରା ସମୟରେ ରାସ୍ତାରେ ଯଦି ବାଇକ୍‌ରେ କୌଣସି ସମସ୍ୟା ଦେଖାଦିଏ, ତେବେ କମ୍ପାନୀର ସହାୟତା ଦଳ ଯେକୌଣସି ସମୟରେ ସାହାଯ୍ୟ ପାଇଁ ଉପଲବ୍ଧ ରହିବେ ।

Dharitri – Odisha’s No.1 Odia Daily

Share